
ଦିଲ୍ଲୀ: ବିରୋଧୀମାନଙ୍କୁ ଏକଜୁଟ କରିବା ଲକ୍ଷ୍ୟରେ ଏବେ ନୀତିଶଙ୍କ ସାଥ ଦେଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ । ପ୍ରଥମେ ନୀତିଶ କୁମାର ଦେଶର ଅନେକ ବିରୋଧୀଦଳର ନେତାଙ୍କୁ ଭେଟି ସାରିଥିବା ବେଳେ, ଏବେ ଆଗାମୀ ରଣନୀତି ଉପରେ ଆଲୋଚନା ନେଇ ନୀତିଶ କୁମାର ଓ ଲାଲୁ ଯାଦବ ଦିଲ୍ଲୀରେ ପହଂଚିଛନ୍ତି ।
ଏନେଇ ଲାଲୁ କହିଛନ୍ତି କି ଉଭୟ ଆସନ୍ତା କାଲି ସୋନିଆ ଗାନ୍ଧୀଙ୍କୁ ଭେଟିବେ । ଆମେ ସମସ୍ତ ବିରୋଧୀଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଛୁ ବୋଲି ଲାଲୁ ଗଣମାଧ୍ୟମକୁ କହିଛନ୍ତି ।
ସେପଟେ ବିହାର ଗସ୍ତ ବେଳେ ବିଜେପି ନେତା ଅମିତ ଶାହା ଯେଭଳି ଭାବେ ଲାଲୁ ଓ ନୀତିଶଙ୍କୁ ଟାର୍ଗେଟ କରିଥିଲେ ତାହାର ଉତ୍ତର ଲାଲୁ ଦିଲ୍ଲୀରେ ରଖିଛନ୍ତି । ସେ କହିଛନ୍ତି କି ଅମିତ ଶାହା ଏବେ ବିବ୍ରତ ହୋଇପଡିଛନ୍ତି । ବିହାରରେ ବିଜେପିକୁ ଯେଭଳି ବ୍ୟାକଫୁଟକୁ ଠେଲି ଦିଆଗଲା ଠିକ ୨୦୨୪ ରେ ଦେଶରେ ବି ବିଜେପିକୁ ବ୍ୟାକଫୁଟକୁ ଠେଲି ଦିଆଯିବ ବୋଲି ଲାଲୁ ଦାବି କରିଛନ୍ତି ।
ସେ ଆସନ୍ତା କାଲି ସୋନିଆଗାନ୍ଧୀଙ୍କୁ ଭେଟି ଆଗାମୀ ରଣନୀତି ବାବଦରେ ଆଲୋଚନା କରିବା କଥା କହିଛନ୍ତି । ଏହାସହ ବିହାରରେ ବିଜେପି କ୍ଷମତାରୁ ବାହାର ହେବା ପରେ ଏବେ ଜଙ୍ଗଲ ରାଜ କଥା କହୁଛନ୍ତି ବୋଲି ସେ କହିଛନ୍ତି ।
ସୂଚନା ଥାଉକି, କିଛିଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀଙ୍କୁ ଏକାଠି କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଆଏମ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି.ରାଜା, ଏନସିପି ପ୍ରମୁଖ ଶରଦ ପାୱାରଙ୍କ ସହ ଅନେକ ବିରୋଧୀଦଳ ନେତାଙ୍କୁ ଭେଟି ଆଲୋଚନା କରିଥିଲେ