ବିଜେପିକୁ ନୀତିଶ କୁମାରଙ୍କ କଟାକ୍ଷ; “୨୦୧୪ରେ ଯିଏ ଆସିଥିଲେ, ସିଏ ୨୦୨୪ରେ ରହିବେ ତ?”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋଦୀ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ନୀତୀଶ କୁମାର । ନୀତିଶ କହିଛନ୍ତି, ଗତ ୨ ମାସ ହେବ ବିହାରରେ ରାଜନୈତିକ ମାହୋଲ ଭଲ ନଥିଲା । ଏପରିକି ମୁଁ ନିଜେ ୨୦୨୦ରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲି । ୨୦୨୦ ନିର୍ବାଚନରେ ଜେଡିୟୁ ସହ ଭଲ ବ୍ୟବହାର ହୋଇନଥିଲା । ବିଜେପି ସହ ମେଣ୍ଟ କରି ସରକାର ଗଢିବା ଦ୍ୱାରା ଜେଡିୟୁକୁ କ୍ଷତି ପହଞ୍ଚିଛି । କିଛି ଲୋକ ଭାବୁଛନ୍ତି ଦେଶରେ ବିରୋଧୀ ରହିବେନି । କିନ୍ତୁ ଏବେ ମୁଁ ବିରୋଧୀ ଦଳକୁ ଆସିଛି, ସବୁ କିଛି ହେବ। ପୁରୁଣା ସ୍ଥାନକୁ ଆସି ମୁଁ ବହୁତ ଖୁସି । ୨୦୨୪ରେ ବିରୋଧୀ ଦଳ ଏକଜୁଟ୍ ହେଲେ ଶାସକ ଦଳ ପୁନର୍ବାର ସରକାରକୁ ଫେରିବା କଷ୍ଟକର ହୋଇଯିବ । କାରଣ ୨୦୧୪ରେ ଯିଏ ଆସିଥିଲେ ସିଏ ୨୦୨୪ରେ ରହିପାରିବେ ତ? ଖୁବଶୀଘ୍ର ବିହାରରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବ ଏବଂ ବିହାରକୁ ବିକାଶର ଧାରାରେ ଆଗକୁ ନେବୁ ବୋଲି ନୀତୀଶ କହିଛନ୍ତି ।

ସୂଚନା ଅନୁସାରେ ଗତକାଲି ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନୀତିଶ। ଏହାପରେ ଆଜି ପୁଣି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୮ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ନୀତୀଶଙ୍କ ସହ ତେଜସ୍ୱୀ ଯାଦବ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।ଏହାସହ ବିହାରରେ ନୂଆ ସରକାର ଗଠନ ହୋଇଛି ।

Related Posts