ନୂଆଦିଲ୍ଲୀ: ବିଟିସ୍ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ଆଲୋଚନା ଓ ପ୍ରତିଦ୍ବନ୍ଦ୍ବିତା ଚାଲିଥିବା ବେଳେ, ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଲିଜ୍ ଟ୍ରସ୍ ଏବଂ ଋଷି ସୁନକଙ୍କ ଉପରେ ଭରସା କରି ପାରୁ ନ ଥିବା ଅନ୍ୟୂନ ୪୯% ‘ଟରି’ ସମର୍ଥକଙ୍କ ଧାରଣା ବୋଲି ଗବେଷଣାରୁ ଜଣାପଡ଼ିଛି।
ଗୁରୁତ୍ବପୂର୍ଣ୍ଣ ମନେ ନ ହେଉଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକର ଭୋଟର୍ମାନଙ୍କ ସହିତ କରାଯାଇଥିବା ସାକ୍ଷାତ୍କାରରୁ ଜଣାପଡ଼ିଛି ଯେ, ସେମାନଙ୍କର ବିଶ୍ବାସ ଜନ୍ସନ୍ଙ୍କୁ ବିଦା କରି ‘ଟରି’ ସାଂସଦମାନେ ଦଳର ସୁଖ୍ୟାତି ନଷ୍ଟ କରିଛନ୍ତି।
ସାଉଥ୍ଆମ୍ପଟମ୍ ଇଚେନ୍ ନିର୍ବାଚନ ମଣ୍ଡଳୀର ରିଚାର୍ଡ ନାମରେ ଜଣେ ପାଣି ପାଇପ୍ ମିସ୍ତ୍ରୀ ସମ୍ବାଦପତ୍ର ‘ଡେଲି ମେଲ୍’କୁ କହିଛନ୍ତି, ସେ ଯେମିତି ସବୁକ୍ଷେତ୍ରରେ ମୁକାବିଲା କରିପାରୁ ଥିଲେ, ଅନ୍ୟମାନେ ତାହା ପାରି ନାହାନ୍ତି। ବ୍ରିକ୍ସ୍ଟ୍, କୋଭିଡ୍ ଏବଂ ୟୁକ୍ରେନ୍ ଯୁଦ୍ଧ- ସବୁଥିରେ ସେ ପ୍ରତ୍ୟକ୍ଷ ଭାବେ ମୁକାବିଲା କରିଛନ୍ତି। ସେ ଫେରି ଆସିବା ଉଚିତ।
ଗ୍ରେଟର୍ ମଞ୍ଚେଷ୍ଟର୍ର ଅନ୍ୟ ଜଣେ ଭୋଟର୍ କହନ୍ତି, ସେ ସଫଳ ହେବେ କି, ବିଫଳ ହେବେ ଆମେ ଜାଣୁନା। ତାଙ୍କୁ ସୁଯୋଗ ଦେବା ଉଚିତ ଥିଲା।
ଅନ୍ୟ ଜଣେ ଭୋଟର୍ କହନ୍ତି, ପ୍ରକୃତରେ ମୁଁ ବୋରିସ୍ଙ୍କୁ ପସନ୍ଦ କରୁଥିଲି। ତାଙ୍କ ସହିତ ଯେଭଳି ଆଚରଣ ପ୍ରଦର୍ଶନ କରାଗଲା ମତେ ଖୁବ୍ ଖରାପ ଲାଗିଲା। ସାମାନ୍ୟ କଥାକୁ ନେଇ ସେମାନେ ହଟ୍ଟଗୋଳ କଲେ।
ତେଣେ, ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଆଶାୟୀ ଋଷି ସୁନକ କହିଛନ୍ତି ଯେ, ‘କଞ୍ଜରଭେଟିଭ୍ ପାର୍ଟି’ର ନେତୃତ୍ବ ଅଭିଯାନ ଚାଲୁ ରଖିବାକୁ ସେ ଖୁବ୍ ଆଗ୍ରହୀ।
କିନ୍ତୁ, ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ବୈଦେଶିକ ସଚିବ ଲିଜ୍ ଟ୍ରସ୍ ତାଙ୍କଠାରୁ ଅଗ୍ରଣୀ ଅଛନ୍ତି। ଗୁରୁବାର ଦିନ ‘ସ୍କାଏ ନିଉଜ୍’ ପାଇଁ ସର୍ଭେ କରିଥିବା ‘ୟୁଗଭ୍’ ପୋଲ୍ରୁ ଜଣାପଡ଼ିଛି ଯେ, ଟ୍ରସ୍ ସୁନକଙ୍କଠାରୁ ୩୨ ପଏଣ୍ଟ୍ ଅଗ୍ରଣୀ ଅଛନ୍ତି।
