
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନର ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର ନେତା ଗ୍ୟାନ ଦେବ ଆହୁଜାଙ୍କର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓରେ ସେ ଗୋ ହତ୍ୟାରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ହତ୍ୟା କରିବା ପାଇଁ ତାଙ୍କ ନିକଟରେ ଉପସ୍ଥିତ ଲୋକ ମାନଙ୍କୁ କହୁଛନ୍ତି। ଏହା ସହିତ ଏହି ଭିଡିଓରେ ସେ ମଧ୍ୟ ୫ ଜଣ ଲୋକଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏହି ଭିଡ଼ିଓ ଭାଇରାଲ ହେବା ପରେ ଆହୁଜା ଙ୍କ ନାମରେ ଭାରତୀୟ ଦଣ୍ଡ ସଂହିତା ( ଆଇପିସି ) ର ଧାରା ୧୫୩ (କ) ଅନୁଯାୟୀ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।
ଏହି ଭିଡ଼ିଓ କୁ ନେଇ ବିଜେପିକୁ କଡା ସମାଲୋଚନା କରିଛି କଂଗ୍ରେସ। ରାଜସ୍ଥାନ କଂଗ୍ରେସର ମୁଖ୍ୟ ଗୋବିନ୍ଦ ସିଂହ ଦୋଟାସ୍ରା ଏହି ଭିଡ଼ିଓ କୁ ଟୁଇଟର ରେ ସେୟାର କରି ଲେଖିଛନ୍ତି “ବିଜେପି ର ଧାର୍ମିକ ଆତଙ୍କ ଓ କୁସଂସ୍କାର ର ଆଉ କଣ ପ୍ରମାଣ ଆବଶ୍ୟକ ? ସମଗ୍ର ଦେଶରେ ବିଜେପିର ପ୍ରକୃତ ଚେହେରା ସାମ୍ନାକୁ ଆସିଛି।”
ତେବେ ଏହି ଘଟଣା ପରେ ବିଜେପି ନିଜକୁ ଏଥିରୁ ଦୂରେଇ ରଖିଛି। ବିଜେପି ନେତା ସଞ୍ଜୟ ସିଂହ ନରୁକା ଏହି ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏଭଳି ଚିନ୍ତନରେ ବିଶ୍ୱାସ କରେ ନାହିଁ।