‘ନା ଅଛି ଟଙ୍କା ନା ଅଛି କାମ କେମିତି ବଞ୍ଚିବେ ପ୍ରବାସୀ ଶ୍ରମିକ ?’ : କେନ୍ଦ୍ରକୁ ପଚାରିଲେ ସୁପ୍ରିମକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଦେଶରେ କରୋନାର ଦ୍ୱିତୀୟ ଲହର ସମୟରେ ସୁପ୍ରିମ କୋର୍ଟ ପ୍ରବାସୀ ଶ୍ରମିକଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବିଭିନ୍ନ ରାଜ୍ୟ ଦ୍ବାରା ଲକଡାଉନ୍ ଘୋଷଣା କରାଯାଉଥିବା ସମୟରେ ପ୍ରବାସୀ ଶ୍ରମିକଙ୍କ ଅସୁବିଧା ସମ୍ପର୍କରେ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ନିରାପତ୍ତା ତଥା ଶସ୍ତା ପରିବହନ ବିକଳ୍ପ ସୁନିଶ୍ଚିତ କରିବା ପାଇଁ ଆଜି ଏକ ଆଦେଶ ଜାରି କରିବେ। କୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି ଯେ, ” ପ୍ରବାସୀ ଶ୍ରମିକ ମାନେ ବିନା ଟଙ୍କା କିମ୍ବା କାମ ରେ କିପରି ବଞ୍ଚିବେ? ବର୍ତ୍ତମାନ ସମୟରେ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିବା ଆବଶ୍ୟକ। ଆପଣଙ୍କୁ କଠୋର ବାସ୍ତବତାକୁ ବିଚାର କରିବାକୁ ପଡିବ। ” କିନ୍ତୁ ଏହି ମାମଲାରେ କୋର୍ଟଙ୍କ ହସ୍ତକ୍ଷେପକୁ ସଲିସିଟର ଜେନେରାଲ ବିରୋଧ କରିଥିଲେ। ଜାତୀୟ ରାଜଧାନୀ ଅଞ୍ଚଳରେ (ଏନସିଆର) ସମୁଦାୟିକ ରୋଷେଇ ଘରର ବ୍ୟବସ୍ଥା ଓ ଘରକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକଙ୍କ ପରିବହନକୁ ସୁଗମ କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ କର୍ତ୍ତୃପକ୍ଷ ନିଶ୍ଚିତ କରିବା ଉଚିତ ଯେ ଘରୋଇ ବସ୍ ଅପରେଟରମାନେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କଠାରୁ ଅଧିକ ଭଡା ଆଦାୟ କରିବେ ନାହିଁ ଓ ପରିବହନ ସୁବିଧା ଯୋଗାଇବା ପାଇଁ ରେଳ ସେବାକୁ ନେଇ କେନ୍ଦ୍ର ବିଚାର କରିବା ଉଚିତ । ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଏମଆର ଶାହାଙ୍କୁ ନେଇ ଗଠିତ ଏକ ବେଞ୍ଚ ପ୍ରବାସୀ ଶ୍ରମିକମାନଙ୍କର ସମସ୍ୟାକୁ ନଜରରେ ରଖି ସୋ ମୋଟ୍ ଏହି ମାମଲାର ଶୁଣାଣି କରିଛନ୍ତି। COVID-19 ର ଦ୍ୱିତୀୟ ଲହରକୁ ମୁକାବିଲା କରିବା ପାଇଁ ବିଭିନ୍ନ ରାଜ୍ୟ ଘୋଷଣା କରିଥିବା ଲକଡାଉନ୍ ଯୋଗୁଁ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରି ହର୍ଷ ମାଣ୍ଡେର, ଅଞ୍ଜଲି ଭରଦ୍ୱାଜ ଏବଂ ଜଗଦୀପ ଚୋକ୍କରଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ଆଡଭୋକେଟ୍ ପ୍ରଶନ୍ ଭୂଷଣ କହିଛନ୍ତି, ରାସନ କାର୍ଡ ଧାରୀଙ୍କ ପାଇଁ ‘ଆତ୍ମନିର୍ଭର ଯୋଜନା’ ବିସ୍ତାର କରାଯାଉ , ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ ଏବଂ ଯେଉଁ ସ୍ଥାନରେ ପ୍ରବାସୀମାନେ ଏକାଠି ହେଉଛନ୍ତି ସେହି ସ୍ଥାନରେ ରନ୍ଧା ଖାଦ୍ୟ ଖାଇବାକୁ ଦିଅନ୍ତୁ। ଏତଦ୍ ବ୍ୟତୀତ ଲକଡାଉନ୍ ସମୟରେ କୌଣସି କାମ ନଥିବା ପ୍ରବାସୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଉ। ଶ୍ରୀ ଭୂଷଣ ଦର୍ଶାଇଛନ୍ତି ଯେ ଦେଶରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା 8 କୋଟି ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କର ରେସନ କାର୍ଡ ନାହିଁ। ଏହି ଆବେଦନକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ତୀବ୍ର ବିରୋଧ କରିଥିଲେ। ସେ କହିଛନ୍ତି ” ପୂର୍ବ ବର୍ଷ ଲକଡାଉନ୍ ତୁଳନାରେ ଚଳିତ ବର୍ଷ ଲକଡାଉନ ସମ୍ପୂର୍ଣ୍ଣ ଭିନ୍ନ। ଗତ ବର୍ଷ ଦେଶବ୍ୟାପୀ ତାଲାବନ୍ଦ ସମୟରେ ସବୁକିଛି ବନ୍ଦ ଥିଲା, ଚଳିତ ବର୍ଷ ରାଜ୍ୟଗୁଡିକ ନିଶ୍ଚିତ କରିଛନ୍ତି ଯେ ଏହା ପୂର୍ବ ବର୍ଷ ଭଳି ଲକ୍-ଡାଉନ୍ ନୁହେଁ। ମୋଟାମୋଟି ଭାବେ ଶିଳ୍ପଗୁଡିକ କାର୍ଯ୍ୟ କରୁଛନ୍ତି। ତେଣୁ ପ୍ରବାସୀ ଶ୍ରମିକମାନେ ଯେଉଁ ସ୍ଥାନରୁ ଶିଳ୍ପ ଖୋଲା ଅଛି ସେହି ସ୍ଥାନରୁ ଫେରିବା ପାଇଁ ଇଚ୍ଛୁକ ନୁହଁନ୍ତି। ” ସଲିସିଟର ଜେନେରାଲ କୋର୍ଟଙ୍କୁ କହିଛନ୍ତି ଯେ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ରାଜ୍ୟ ସରକାରଙ୍କଠାରୁ ପ୍ରତିକ୍ରିୟା ଲୋଡ଼ିବା ଉଚିତ୍। ଏହା ପରେ ଜଷ୍ଟିସ ଅଶୋକ ଭୂଷଣ କହିଛନ୍ତି ଯେ ଏହି ବେଞ୍ଚ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମଧ୍ୟ ଶୁଣି ବିଚାର କରିବ।

Related Posts