‘ସାକିବ ଓ ବାଂଲାଦେଶ ପ୍ରତି ଆଉ ସମ୍ମାନ ନାହିଁ, ଏଭଳି ଲଜ୍ୟାଜନକ କାମ କୌଣସି ଦଳ କରିବେନି’; ମ୍ୟାଚ୍ ପରେ ମାଥ୍ୟୁଜଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କ୍ରିକେଟ ଇତିହାସରେ ପ୍ରଥମ ଖେଳାଳୀ ଭାବେ ଟାଇମ ଆଉଟର ଶିକାର ହୋଇ ପ୍ୟାଭିଲିୟନ ଫେରିଛନ୍ତି ଶ୍ର୍ରୀଲଙ୍କାର ମାଥ୍ୟୁଜ୍ । ମ୍ୟାଚରେ ବିଳମ୍ବ କରିବା ମାଥ୍ୟୁଜଙ୍କ ପାଇଁ ମହଙ୍ଗା ପିଡିଥିଲା । ବାଂଲାଦେଶ ଅଧିନାୟକଙ୍କ ଅପିଲ ପରେ ମାଥ୍ୟୁଜଙ୍କୁ ବିନା ବଲ ଖେଳି ଆଉଟ ହୋଇ ପ୍ୟାଭିଲିୟନ ଫେରିବାକୁ ପଡିଥିଲା । ବାଂଲାଦେଶ ଏହି ମୁକାବିଲାକୁ ୩ ୱିକେଟରେ ବାଜି ମାରିନେଇଥିଲା । ଏହି ଟାଇମ ଆଉଟକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ମୁହଁ ଖୋଲିଛନ୍ତି ମାଥ୍ୟୁଜ୍ । ମୈଦାନ ବାହାରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ ।

ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ମାଥ୍ୟୁଜ କହିଛନ୍ତି, ସାକିବ ଓ ବାଂଲାଦେଶର ଏଭଳି କାର୍ଯ୍ୟ ଅତ୍ୟନ୍ତ ଲଜ୍ଜାଜନକ । ଏଭଳି କାମ ଅନ୍ୟ କୌଣସି ଟିମ୍ କରିବେନି । ପୂର୍ବରୁ ଶାକିବ ଓ ବାଂଲାଦେଶ ପ୍ରତି ଯେଉଁ ସମ୍ମାନ ଥିଲା ତାହା ଆଉ ନାହିଁ । ମୁଁ ମ୍ୟାଚରେ ଜାଣିଶୁଣି କୌଣସି ସମୟ ନଷ୍ଟ କରୁନଥିଲି । ନିର୍ଦ୍ଧାରିତ ସମୟର ୫ ସେକେଣ୍ଡ ପୂର୍ବରୁ କ୍ରିଜରେ ପହଞ୍ଚିଥିଲି । କିନ୍ତୁ ବଲ୍ ଖେଳିବା ପୂର୍ବରୁ ହେଲମେଟର ଫିତା ଛିଡି ଯାଇଥିଲା । ବଲ୍ ଖେଳିବା ପୂର୍ବରୁ ଯଦି ହେଲମେଟରେ ସମସ୍ୟା ଦେଖାଦେବ ତେବେ ମୁଁ ବା କଣ କରିପାରିବି? ଏହା ଖେଳାଳୀଙ୍କର ସୁରକ୍ଷାର ପ୍ରଶ୍ନ । ଯଦି ୱିକେଟକିପର ସ୍ପିନରଙ୍କ ବିପକ୍ଷରେ ବିନା ହେଲମେଟରେ କିପିଂ କରିପାରିବେନି ତେବେ ବିନା ହେଲମେଟରେ ଦ୍ରୁତ ବୋଲରଙ୍କୁ ମୁଁ କେମିତି ସାମ୍ନା କରିପାରିବି? ଅମ୍ପାୟାର ମୋତେ ଆଉଟ ଦେବା ପୂର୍ବରୁ ଏହାର ତର୍ଜମା କରିବାର ଆବଶ୍ୟକତା ଥିଲା । ଯଦି ଆମ ପାଖରେ ସବୁ ଯାଞ୍ଚ କରିବାର ଜ୍ଞାନକୌଶଳ ଅଛି ତେବେ ଏହାର ବ୍ୟବହାର ହେବା ଉଚିତ୍ । ଏହି ଘଟଣାର ପୂରା ଭିଡ଼ିଓ ଆମ ପାଖରେ ଅଛି ଯେ, ମୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ କ୍ରିଜରେ ପହଞ୍ଚିଥିଲି ।

ଏହାସହ ମାଥ୍ୟୁଜ୍ କହିଛନ୍ତି, ଯଦି ଏଭଳି ଭାବେ କ୍ରିକେଟ ଖେଳିବାକୁ ଚାହୁଁଛନ୍ତି ତେବେ ଏହା ଲଜ୍ଜାଜନକ । ଅନ୍ୟ କୌଣସି ଟିମ୍ ଏଭଳି ଲଜ୍ଜାଜନକ କାମ କରିନଥାନ୍ତେ । ସାକିବଙ୍କୁ ଅପିଲ ପ୍ରତ୍ୟାହାର କରିନେବାକୁ କହିଥିଲେ ମଧ୍ୟ ସେ ଏହାକୁ ଶୁଣିନଥିଲେ । ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ସାକିବଙ୍କ ଉପରେ ବର୍ଷିଛନ୍ତି ୟୁଜର୍ସ । କେବଳ ଏତିକି ନୁହେଁ ମ୍ୟାଚ୍ ଉଭୟ ଟିମର ଖେଳାଳୀ ହାତ ମିଳାଇନଥିଲେ । ଯାହାକୁ ନେଇ ମାଥ୍ୟୁଜ୍ କହିଛନ୍ତି,ଯଦି କୌଣସି ଟିମ ଆମର ସମ୍ମାନ କରୁନାହିଁ ତେବେ ଆମେ ମଧ୍ୟ ସେମାନଙ୍କର ସମ୍ମାନ କରିବାର ଆବଶ୍ୟକତା ନାହିଁ ।

ଅନ୍ୟପଟେ ଏହି ଘଟଣାକୁ ନେଇ ସାକିବ କହିଛନ୍ତି, ଏଭଳି ନିଷ୍ପତ୍ତିକୁ ନେଇ ଆଦୌ ଅନୁତପ୍ତ ନୁହେଁ କାରଣ ଏହା ନିୟମ ଭିତରେ ଆସୁଛି । ଯେତେବେଳେ ଖେଳରେ ବିଳମ୍ବ ହୋଇଥିଲା ସେତେବେଳେ ମୋ ସାଥୀ ଖେଳାଳୀ ଏହି ନିୟମ ବାବଦରେ କହିଥିଲେ । ମୁଁ ଅପିଲ କରିବାରୁ ଅମ୍ପାୟାର ଆଉଟ ଦେଇଥିଲେ । ମାଥ୍ୟୁଜ୍ ମୋତେ ଅପିଲ ଫେରାଇନେବାକୁ କହିଥିଲେ କିନ୍ତୁ ନିୟମ ଅନୁସାରେ ମାଥ୍ୟୁଜ୍ ଆଉଟ ହୋଇଛନ୍ତି ।

ଆଇସିସିର ନିୟମ ଅନୁଯାୟୀ, ଜଣେ ଖେଳାଳୀ ଆଉଟ ହେବାର ୨ ମିନିଟ୍ ମଧ୍ୟରେ ଅନ୍ୟ ଜଣେ ଖେଳାଳୀ କ୍ରିଜରେ ପହଞ୍ଚି ଖେଳିବାକୁ ପ୍ରସ୍ତୁତ ହେବା କଥା । ମାଥ୍ୟୁଜ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଥିଲେ ମଧ୍ୟ ବ୍ୟାଟିଂ କରିବା ପୂର୍ବରୁ ହେଲମେଟରେ ସମସ୍ୟା ଦେଖାଦେବାରୁ ଏହାକୁ ବଦଳାଇବାକୁ କ୍ରିଜ୍ ଛାଡିଥିଲେ । ହେଲମେଟ ବଦଳାଇ ପୁଣିଥରେ କ୍ରିଜକୁ ଫେରିବା ପୂର୍ବରୁ ନିର୍ଦ୍ଧାରିତ ସମୟ ଶେଷ ହୋଇଥିଲା । ଯାହାକୁ ନେଇ ବାଂଲାଦେଶ ଅଧିନାୟକ ମାଥ୍ୟୁଜଙ୍କୁ ଆଉଟ କରିବାକୁ ଅପିଲ କରିଥିଲେ ଏବଂ ନିୟମ ଅନୁସାରେ ଅମ୍ପାୟାର ମାଥ୍ୟୁଜଙ୍କୁ ଆଉଟ ଘୋଷିତ କରିଥିଲେ ।

Related Posts