ପାକିସ୍ତାନ ସହ ଆଉ କୌଣସି ଆଲୋଚନା ହେବ ନାହିଁ, ଜାମ୍ମୁ-କାଶ୍ମୀରରୁ ଆତଙ୍କବାଦୀଙ୍କ ସଫେଇ କରାଯିବ: ଅମିତ ଶାହ

ଶ୍ରୀନଗର: ଆତଂକବାଦୀ ପ୍ରସଙ୍ଗକୁ ନେଇ ଆଉ ପାକିସ୍ତାନ ସହ କୌଣସି ଆଲୋଚନା ହେବ ନାହିଁ। ଏବେ କେବଳ ଆକ୍ସନ ନିଆଯିବ । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦର ସଫେଇ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସେଠାରେ ଏକ ରାଲିକୁ ସମ୍ବୋଧନ କରି ଉକ୍ତ ଅଞ୍ଚଳକୁ ଆତଙ୍କବାଦ ମୁକ୍ତ କରିବାକୁ ଶପଥ ନେଇଛନ୍ତି।

ବାରାମୁଲାରେ ଏକ ବିଶାଳ ରାଲିକୁ ସମ୍ବୋଧନ କରି ଶାହ କହିଛନ୍ତି ଯେ ଜାମ୍ମୁ-କାସ୍ମୀରରେ ଆତଙ୍କବାଦ ୧୯୯୦ ଠାରୁ ଏପର୍ଯ୍ୟନ୍ତ ୪୨୦୦୦ ଜୀବନ ନେଲାଣି। ଏବେ ଆଉ ନୁହେଁ। ଆଉ କୌଣସି ଆଲୋଚନା ନୁହେଁ। ଆତଙ୍କବାଦର ସଫେଇ ଏକମାତ୍ର ରାସ୍ତା ବୋଲି ଶାହ କହିଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରି ସେ କହିଛନ୍ତି “ ଯେଉଁମାନେ ଦେଶରେ ୭୦ ବର୍ଷ ଶାସନ କଲେ ସେମାନେ କହୁଛନ୍ତି ପାକିସ୍ତାନ ସହ ଆଲୋଚନା କର। କାହିଁକି ଆମେ ପାକିସ୍ତାନ ସହ ଆଲୋଚନା କରିବା? ଆମେ କଥା ହେବୁ ନାହିଁ। ଆମେ ବାରାମୁଲାର ଲୋକଙ୍କ ବିଷୟରେ କଥା ହେବୁ। ଆମେ କାସ୍ମୀର ଲୋକଙ୍କ ବିଷୟରେ କଥା ହେବୁ।” ଆମେ ଜାମ୍ମୁ-କାସ୍ମୀରକୁ ଦେଶର ସବୁଠାରୁ ଶାନ୍ତିପୂର୍ଣ୍ଣ ସ୍ଥାନ କରିବାକୁ ଚାହୁଁଛୁ ବୋଲି ଶାହ କହିଛନ୍ତି।

ଏଥିସହିତ ଜାମ୍ମୁ-କାଶ୍ମୀର ବିକାଶ ହୋଇପାରି ନଥିବା ଯୋଗୁ ଅମିତ ଶାହ ଫାରକୁ ଅବଦୁଲ୍ଲାଙ୍କ ନ୍ୟାସ୍‌ନାଲ କନଫରେନ୍ସ, ମେହେବୁବା ମୁଫ୍‌ତିଙ୍କର ପିଡିପି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।

ଶାହ କହିଛନ୍ତି “ ମେହବୁବା ମୁଫ୍‌ତୀ ଏବଂ ଫାରୁକ ଅବଦୁଲ୍ଲା ୪ ମେଡିକାଲ କଲେଜ୍ ତିଆରି କରିଛନ୍ତି। ହେଲେ ଆମେ ୨୦୧୪ ଠାରୁ ୯ଟି ତିଆରି କରିସାରିଲୁଣି। କେବଳ ସେତିକି ନୁହେଁ ୨୦୧୪ ପରଠାରୁ ଆମେ ୯ ଲକ୍ଷ ଘର ତିଆରି କରିସାରିଲୁଣି। ଆମେ ସୁନିଶ୍ଚିତ କରିଛୁ ଯେ ଗତ ୩ ବର୍ଷ ଭିତରେ କାଶ୍ମୀର ସବୁ ଗାଁ ଏମିତିକି ପିଓକେରେ ଥିବା ଗାଁକୁ ବିଜୁଳି ଯୋଗାଣ ହେବ।”

ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ରାଜୌରୀରେ ଥିବା ପାହାଡ଼ୀ କମ୍ୟୁନିଟିଙ୍କୁ ସଂରକ୍ଷଣ ଦିଆଯିବ ବୋଲି ଘୋଷଣା କରିଥିଲେ। ଅନୁସୂଚିତ ଜନଜାତି ବର୍ଗରେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଖୁବ୍‌ଶୀଘ୍ର ସେମାନଙ୍କୁ ସଂରକ୍ଷଣ ମିଳିବ ବୋଲି ଶାହ କହିଥିଲେ।

ତେବେ ଧାରା ୩୭୦ ଥିବା କାରଣରୁ ସଂରକ୍ଷଣ ଦେବା ସମ୍ଭବ ହୋଇପାରୁ ନଥିଲା ବୋଲି ବାରାମୁଲାରେ ସମ୍ବୋଧନ କରି ଶାହ କହିଛନ୍ତି। ଜାମ୍ମୁ-କାସ୍ମୀରରେ ନିର୍ବାଚନ ହେବା ନେଇ ଶାହ କହିଛନ୍ତି ଯେ ଭୋଟରଙ୍କ ତାଲିକା ସୁନିଶ୍ଚିତ ହେବା ପରେ ନିର୍ବାଚନ ପକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛାତାର ସହ ହେବ

Related Posts