
ମୁମ୍ବାଇ: ମୁମ୍ବାଇର ପୂର୍ବ ଅନ୍ଧେରୀ ବିଧାନସଭା ଆସନ ନେଇ ଅନୁଷ୍ଠିତ ହେବାକୁ ଯାଉଛି ଉପ ନିର୍ବାଚନ। ଏନେଇ ଏହି ଆସନରେ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ପ୍ରାର୍ଥୀକୁ ସମର୍ଥନ ଦେବାକୁ ଘୋଷଣା କରିଛି କଂଗ୍ରେସ ଏବଂ ଏନସିପି। ଏ ନେଇ ଦୁଇ ଦଳ ବୁଧବାର ଘୋଷଣା କରିଛନ୍ତି।
ଉକ୍ତ ଆସନରେ ଶିବସେନାର ବିଧାୟକ ରମେ ଲଟକେଙ୍କ ଗତ ମେ ମାସରେ ଦେହାନ୍ତ ଘଟିଥିଲା।
ବର୍ତ୍ତମାନ ଏହି ଆସନରୁ ଶିବସେନାର ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଦିବଙ୍ଗତ ରମେଶ ଲଟକେଙ୍କ ପତ୍ନୀ ଋତୁରାଜ ଲଟକେଙ୍କୁ ପ୍ରାର୍ଥୀ କରିଛି। ନିର୍ବାଚନରେ ସାନ୍ତ୍ଵନାମୂଳକ ଭୋଟ୍ ହାତେଇବାକୁ ଉଦ୍ଧବ ଠାକରେ ଲକ୍ଷ୍ୟ ରଖିଛନ୍ତି। ଋତୁରାଜଙ୍କ ମୁକାବିଲା ଭାରତୀୟ ଜନତା ପାର୍ଟିର ବିଏମସିର ପୂର୍ବତନ କର୍ପୋରେଟ୍ ମୁରଜୀ ପଟେଲ୍ ସହ ହେବାକୁ ଯାଉଛି। ମୁରଜୀ ଉକ୍ତ ଅଞ୍ଚଳର ସବୁଠୁ ଲୋକ ପ୍ରିୟ ନେତା ଭାବେ ପରିଚିତ।
ମହାବିକାଶ ଅଘାଡି ସରକାର ଭାଙ୍ଗିବା ପରେ ଶିବସେନାର ପ୍ରମୁଖ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏହା ପ୍ରଥମ ପରୀକ୍ଷା ହେବାକୁ ଯାଉଛି।ବାସ୍ତବରେ ନିର୍ବାଚନରେ ଠାକରେ ଏବଂ ବିଦ୍ରୋହୀ ଏକନାଥ ସିନ୍ଧେଙ୍କ ମଧ୍ୟରେ ମୁକାବିଲା ହେବାକୁ ଯାଉଛି।
ମହାରାଷ୍ଟ୍ରର କଂଗ୍ରେସ ସଭାପତି ନାନା ପୋଟଲେ ବୁଧବାର କହିଛନ୍ତି, ପାର୍ଟି ନିଜର ପ୍ରାର୍ଥୀ ଦେବନି। କିନ୍ତୁ ଦଳ ମହାବିକାଶ ଅଘାଡିର ଠାକରେଙ୍କ ସମର୍ଥିତ ପ୍ରାର୍ଥୀକୁ ସମର୍ଥନ ଦେବ। ଏନସିପି ଜାତୀୟ ମୁଖପାତ୍ର ମଧ୍ୟ ପାର୍ଟି ଶିବସେନାର ଠାକରେ ଗୋଷ୍ଠୀଙ୍କ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି କହିଛି।
ପୋଟଲେ କହିଛନ୍ତି, ଅଢେଇ ବର୍ଷର ମହାବିକାଶ ଅଘାଡି ସରକାରରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। ସରକାର କରୋନାର ସଫଳ ମୁକାବିଲା କରିଛି। ଏହି ଆଧାରରେ ଜନତା ଆମକୁ ସମର୍ଥନ କରିବେ। ମହାବିକାଶ ଅଘାଡି ମେଣ୍ଟକୁ ଭାଙ୍ଗିବାରେ ବିଫଳ ହେବା ପରେ ବିଜେପି ଶିବସେନାକୁ ଭାଙ୍ଗିବାରେ ଲାଗି ପଡିଛି। ନିଜର ସ୍ଵାର୍ଥସାଧନ ପାଇଁ ବିଜେପି ଇଡି ଏବଂ ସିବିଆଇର ଦୁରୁପଯୋଗ କରୁଛି ବୋଲି ନାନା ପୋଟଲେ କହିଛନ୍ତି।
ଉଲ୍ଲେଖନୀୟ, ୨୦୧୯ ବିଧାନସଭା ନିର୍ବାଚନର ଫଳାଫଳ ପରେ ଶିବସେନା ଏବଂ ବିଜେପି ମଧ୍ୟରେ ମେଣ୍ଟର ଯବନିକା ପଡିଥିଲା। ବିଜେପି ସହ ସଂପର୍କ ଛିନ୍ନ କରି ଶିବସେନା କଂଗ୍ରେସ ଏବଂ ଏନସିପି ସହ ମିଶି ମହାବିକାଶ ଅଘାଡି ମେଣ୍ଟ ଗଠନ କରିବା ସହ ସରକାର ଗଢିଥିଲେ