କୌଣସି ମୁସଲମାନ ମହିଳା ଚାହାଁନ୍ତି ନାହିଁ କି ତାଙ୍କ ସ୍ୱାମୀ ଘରକୁ ଆଉ ତିନୋଟି ସ୍ତ୍ରୀ ଆଣନ୍ତୁ: ହିମନ୍ତ ବିଶ୍ୱ ସରମା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁନିଫର୍ମ ସିଭିଲ କୋଡ ଲାଗୁ ହେବା ଉଚିତ ବୋଲି ବିଜେପି ଶାସିତ ରାଜ୍ୟମାନେ ପ୍ରାୟତଃ ସହମତ ଅଟନ୍ତି। ଉତ୍ତରାଖଣ୍ଡରେ ଏ ସମ୍ପର୍କରେ ଏକ କମିଟି ଗଠନ କରାଯାଇଛି ଏବଂ ଉତ୍ତରପ୍ରଦେଶ ସରକାରରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଏହା ଉପରେ ବିଚାର କରୁଛନ୍ତି ବୋଲି କହିଛନ୍ତି। ଏହା ମଧ୍ୟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ମଧ୍ୟ ୟୁନିଫର୍ମ ସିଭିଲ କୋଡ ସମ୍ପର୍କରେ ଏକ ବଡ ବିବୃତ୍ତି ଦେଇଛନ୍ତି । ତେବେ ୟୁନିଫର୍ମ ସିଭିଲ୍ କୋଡ୍‌’ (ୟୁସିସି) ପ୍ରତି ସମର୍ଥନ ଜଣାଇ ଶନିବାର ଦିନ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, କୌଣସି ସଂଖ୍ୟାଲଘୁ ମହିଳା ଚାହାଁନ୍ତି ନାହିଁ ଯେ, ତାଙ୍କ ସ୍ବାମୀ ଘରକୁ ଆଉ ୩ଟି ସ୍ତ୍ରୀ ଆଣନ୍ତୁ।
ରାଜ୍ୟରେ ‘ୟୁସିସି’ ବା ‘ସମାନ ନାଗରିକ ସଂହିତା’ ପ୍ରଚଳନ କରାଯିବା ଉପରେ ଗୁରୁତ୍ବାରୋପ କରି ‘ବିଜେପି’ ନେତା ବିଶ୍ବଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ସଂଖ୍ୟାଲଘୁ ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ଏହି ଆଇନର ପ୍ରଚଳନ ଅତ୍ୟାବଶ୍ୟକ ଅଟେ।


ସମସ୍ତେ ‘ୟୁନିଫର୍ମ ସିଭିଲ୍ କୋଡ୍‌’ ଚାହାଁନ୍ତି। କୌଣସି ସଂଖ୍ୟାଲଘୁ ମହିଳା ଚାହାଁନ୍ତି ନାହିଁ ଯେ, ତାଙ୍କ ସ୍ବାମୀ ଘରକୁ ଆଉ ୩ଟି ସ୍ତ୍ରୀ ଆଣନ୍ତୁ। ଯେକୌଣସି ସଂଖ୍ୟାଲଘୁ ମହିଳାଙ୍କୁ ପଚାରନ୍ତୁ। ‘ୟୁସିସି’ ମୋ ସମସ୍ୟା ନୁହେଁ, ଏହା ସମସ୍ତ ସଂଖ୍ୟାଲଘୁ ମହିଳାଙ୍କ ସମସ୍ୟା ବୋଲି ସେ କହିଛନ୍ତି। ସେ ପୁଣି କହିଛନ୍ତି, ‘ତିନ୍ ତଲାକ୍‌’ ଉଚ୍ଛେଦ ପରେ ଯଦି ସେମାନଙ୍କୁ ନ୍ୟାୟ ଦେବାକୁ ପଡ଼େ, ତେବେ ‘ୟୁସିସି’ ପ୍ରଣୟନ କରିବାକୁ ପଡ଼ିବ। ଦେଶଜ ସଂଖ୍ୟାଲଘୁ ଏବଂ ପ୍ରବାସୀ ସଂଖ୍ୟାଲଘୁମାନଙ୍କ ମଧ୍ୟରେ ମତଭେଦ ପ୍ରସଙ୍ଗରେ ପଚରା ଯିବାରୁ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଲେ ଯେ, ଦେଶଜମାନେ ପ୍ରବାସୀମାନଙ୍କ ସହିତ ମିଶିବାକୁ ଚାହୁଁ ନାହାନ୍ତି। ଆସାମରେ ଥିବା ସଂଖ୍ୟାଲଘୁମାନଙ୍କର ଧର୍ମ ଏକ କିନ୍ତୁ, ସଂସ୍କୃତି ଓ ଉତ୍ପତ୍ତିର ଦୁଇଟି ସମ୍ପ୍ରଦାୟ ରହିଛି। ବିଗତ ୨୦୦ ବର୍ଷ ପୂର୍ବରୁ ମଧ୍ୟ ଆସାମର ଦେଶଜ ସଂଖ୍ୟାଲଘୁମାନଙ୍କର କୌଣସି ପ୍ରବାସୀ ଇତିହାସ ନାହିଁ। ସେମାନେ ବିଦେଶାଗତ ବା ପ୍ରବାସୀ ସଂଖ୍ୟାଲଘୁ ସମ୍ପ୍ରଦାୟମାନଙ୍କ ସହ ମିଶିବାକୁ ଚାହୁଁନାହାନ୍ତି। ତାଙ୍କୁ ଭିନ୍ନ ପରିଚୟ ମିଳୁ ବୋଲି ଦାବି କରୁଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିବେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts