
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୂର୍ବତନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଆଜି ରାଜ୍ୟରେ ମଧ୍ୟାବଧି ନିର୍ବାଚନ ଦାବି କରିଛନ୍ତି। ଏହା ସହ ପାର୍ଟି ଚିହ୍ନ ଉପରେ ଏକନାଥ ସିନ୍ଦେଙ୍କ ଦାବିର ମଧ୍ୟ ଜବାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ସାର୍ବଜନିକ ସଭାରେ ଆମ ପାର୍ଟିର ନିର୍ବାଚନ ଚିହ୍ନ ଆମଠାରୁ କେହି ଛଡେଇ ନେଇ ପାରିବେନି ବୋଲି କହିଛନ୍ତି। ସେପଟେ ଧନୁ ଓ ତୀର ତାଙ୍କ ପାର୍ଟିର ନିର୍ବାଚନ ଚିହ୍ନ ଥିଲା ଓ ରହିବ ବୋଲି ଉଦ୍ଧ କହିଛନ୍ତି। ସୁପ୍ରିମକୋର୍ଟଙ୍କ ୧୧ ଜୁଲାଇ ନିଷ୍ପତ୍ତି କେବଳ ଶିବ ସେନା ନୁହେଁ ଦେଶରେ ଗଣତନ୍ତ୍ରର ଭବିଷ୍ୟତ ନିର୍ଣ୍ଣୟ କରିବ ବୋଲି ଉଦ୍ଧବ କହିଛନ୍ତି। ଠାକରେ ତାଙ୍କ ସହ ଯେଉଁ ୧୫ରୁ ୧୬ ଜଣ ବିଧାୟକ ଅଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଏପରି ବିଶ୍ୱାସଘାତ ଯୋଗୁ ଶିବସେନାର କୌଣସି କ୍ଷତି ହୋଇଯିବନି କାର୍ଯ୍ୟକର୍ତ୍ତାମାନେ ସବୁଦିନ ଭେଟିବାକୁ ଆସୁଛନ୍ତି। ମୋର ସୈନିକଙ୍କ ମନଦୁଃଖ, ତେବେ ପାର୍ଟି ଓ ମୁଁ ସେମାନଙ୍କ ସହିତ ଛିଡା ହୋଇଛୁ ବୋଲି ଉଦ୍ଧବ କହିଛନ୍ତି। ଅନ୍ୟପଟେ ପାର୍ଟିର ନିର୍ବାଚନ ଚିହ୍ନକୁ ନେଇ ଏବେବି ଅସମଞ୍ଜସ ରହିଛି। ତେବେ ଆଇନଗତ ଭାବେ କେହି ଆମଠୁ ଆମ ନିର୍ବାଚନ ଚିହ୍ନ ଛଡେଇ ନେଇପାରିବେନି ବୋଲି ସେ କାର୍ଯ୍ୟକର୍ତ୍ତାଙ୍କୁ ଆଶ୍ୱସ୍ଥ କରିଛନ୍ତି।
ଆଇନ ଓ ସମ୍ବିଧାନ ବିଶେଷଜ୍ଞଙ୍କ ସହ ଏ ବିଷୟରେ ଆମେ ଚର୍ଚ୍ଚା କରିଛୁ ଏବଂ ଆମ ନିର୍ବାଚନ ଚିହ୍ନକୁ ନେଇ ଆମେ ଆଶ୍ୱସ୍ତ ଅଛୁ ବୋଲି କହିଛନ୍ତି। କହିଛନ୍ତି ଯେ ବିଜେପି ଆଜି ଯାହା କରିଛି ଯଦି ଅଢେଇ ବର୍ଷ ପୂର୍ବେ କରିଥାନ୍ତା ତେବେ ମହାବିକାଶ ଅଘାଡି(ଏମଭିଏ) ସୃଷ୍ଟି ହୋଇନଥାନ୍ତା। ଜନତା ସବୁ ଦେଖୁଛନ୍ତି, ଯଦି ଆମେ ଭୁଲ ଲୋକେ ନିର୍ବାଚନରେ ଆମକୁ ଅଗ୍ରାହ୍ୟ କରିଦେବେ, ଯଦି ଆମେ ଠିକ୍ ତାର ଜବାବ ମଧ୍ୟ ନିର୍ବାଚନରେ ମିଳିଯିବ। ଉଦ୍ଧବ ରାଷ୍ଟ୍ରପତି ନିର୍ବାଚନ ନେଇ ମଧ୍ୟ କହିଛନ୍ତି। ଏ ସମ୍ପର୍କରେ ସେ ପାର୍ଟି ଓ ସାଂସଦଙ୍କ ସହ କଥା ହୋଇ ଆମର ଭୂମିକା ନିର୍ଣ୍ଣୟ କରିବୁ ବୋଲି କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।