ଜାମ୍ମୁ-କାଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ଅଘଟଣ: ବାଦଲଫଟା ବର୍ଷା ଯୋଗୁ ୫ ଜଣଙ୍କର ମୃତ୍ୟୁ

ଅନନ୍ତନାଗ: ଜାମ୍ମୁ-କାଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ଘଟିଛି ଏକ ବଡ଼ ଅଘଟଣ । ବାଦଲଫଟା ବର୍ଷା ଯୋଗୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଭକ୍ତମାନେ ଦର୍ଶନ କରିବାକୁ ଆସିଥିବା ବେଳେ ଶୁକ୍ରବାର ଏଭଳି ଦୁର୍ଘଟଣା ଘଟିଛି। ସମୟ ସନ୍ଧ୍ୟା ସାଢ଼େ ୫ଟା ସମୟରେ ଗୁମ୍ଫା ନିକଟରେ ବାଦଲ ଫାଟିବାରୁ ପ୍ରବଳ ବର୍ଷା ହୋଇଥିଲା। ହଠାତ୍ ବର୍ଷା ଯୋଗୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ଉକ୍ତ ଅଞ୍ଚଳରେ ବର୍ଷା ବନ୍ଦ ହୋଇଯାଇଥିବା ବେଳେ ଇଣ୍ଡୋ-ତିବ୍ବେତାନ ବର୍ଡର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଜୁନ ୩୦ ତାରିଖରେ ବାର୍ଷିକ ଅମରନାଥ ଯାତ୍ରା ଦୁଇଟି କ୍ୟାମ୍ପ- ଦକ୍ଷିଣ କାଶ୍ମୀରର ଆୱନପହଲଗାମ ଏବଂ କେନ୍ଦ୍ର କାଶ୍ମୀର ଗଣ୍ଡେବରାଲ କ୍ୟାମ୍ପରୁ ଆରମ୍ଭ ହୋଇଥିଲା। ଏଥିରେ ଶ୍ରଦ୍ଧାଳୁମାନେ ଅମରନାଥ ଧାମରେ ପହଞ୍ଚି ଦର୍ଶନ କରିବା ସହ ପୂଜା ଅର୍ପଣ କରିଥିଲେ। ତେବେ ପାଗ ଖରାପ ଥିବାରୁ ମଙ୍ଗଳବାର ଅମରନାଥ ଯାତ୍ରାକୁ ନିଲମ୍ବିତ କରାଯାଇଥିଲା।

ସୂଚନା ଅନୁସାରେ, ବର୍ତ୍ତମାନ ସୁଧା ଏକ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ପୀଠରେ ପହଞ୍ଚି ପୂଜା ଅର୍ପଣ କରିସାରିଛନ୍ତି।

Related Posts