ଏଣିକି ଘରୋଇ ବିଦ୍ୟୁତ ଆବଣ୍ଟନକାରୀ କଂପାନି ଦିନରେ ବିଦ୍ୟୁତ୍ କାଟ୍ କରିପାରିବେ ନାହିଁ: ମୁଖ୍ୟଶାସନ ସଚିବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଘରୋଇ ବିଦ୍ୟୁତ ଆବଣ୍ଟନକାରୀ କଂପାନି ଦିନରେ ବିଦ୍ୟୁତ୍ କାଟ୍ କରିପାରିବେ ନାହିଁ । ଆଜି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘରୋଇ ବିଦ୍ୟୁତ୍ ଆବଣ୍ଟନ କଂପାନିମାନଙ୍କୁ ଏଭଳି ତାଗିଦ୍ କରିଛନ୍ତି। ମାତ୍ର ରାତିରେ କାଟିବା ଲାଗି କୌଣସି ଆକଟ କରାଯାଇନାହିଁ; ସତେ ଯେପରି ଓଡ଼ିଶାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଚାଲିଛି। ପ୍ରତି ବର୍ଷ ଗ୍ରୀଷ୍ମକାଳରେ ରାଜ୍ୟରେ ବିଦ୍ୟୁତ୍ କାଟ୍ ଗୋଟିଏ ପରମ୍ପରାରେ ପରିଣତ ହୋଇଛି। ସହରାଞ୍ଚଳରେ ବିଦ୍ୟୁତ୍ କାଟ୍ ହେଲେ ଖୋଲା ଅସନ୍ତୋଷ ପ୍ରକାଶ ପାଇଥାଏ। ମାତ୍ର ଗ୍ରାମାଞ୍ଚଳରେ ବର୍ଷସାରା ଦୈନିକ ବେଶ୍ କିଛି ଘଣ୍ଟା ବିଦ୍ୟୁତ୍ କାଟ ଜାରି ରହିଲେ ମଧ୍ୟ କୌଣସି ସ୍ବର ଉଠେ ନାହିଁ କି ଏଭଳି ନିଷ୍ଠୁର ବାସ୍ତବତାକୁ ସରକାର କେବେ ଗୁରୁତ୍ବର ସହ ନେବାର ନଜିର ନାହିଁ। ଏବର୍ଷ ଅସହ୍ୟ ଗ୍ରୀଷ୍ମ ସାଙ୍ଗକୁ ସହରାଞ୍ଚଳରେ ବିଦ୍ୟୁତ୍ କାଟ୍ ଯୋଗୁଁ ଅସନ୍ତୋଷ ତୀବ୍ର ହେବାକୁ ଯାଉଥିବା ଲକ୍ଷ୍ୟ କରି ସରକାର ଆଜି ଗଭୀର ନିଦରୁ ଚେଇଁ ଉଠିଛନ୍ତି। ଦୁଇଦିନିଆ ଛୁଟି ପରେ ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଡାକି ଏ ନେଇ ତନାଘନା କରାଯାଇଛି। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଉଭୟ ଘରୋଇ ବିଦ୍ୟୁତ୍ ଉପଭୋକ୍ତା ଏବଂ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ପ୍ରାଥମିକତା ଭିତ୍ତିରେ ବିଦ୍ୟୁତ୍ ଯୋଗାଣ ହେବା ଦରକାର।

ରାଜ୍ୟରେ ନିଅଣ୍ଟିଆ ବିଦ୍ୟୁତ୍ ଭରଣା ଲାଗି ଜଳବିଦ୍ୟୁତ୍ ଉତ୍ପାଦନ ସର୍ବାଧିକ କରିବା ଲାଗି ସେ ଓଏଚପିସିକୁ ନିର୍ଦେଶ ଦେବା ସହିତ ସମସ୍ତ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ସେମାନଙ୍କର ପୂର୍ଣ୍ଣ ଯୋଗଦାନ ଲାଗି କହିଛନ୍ତି। ସେହିପରି ମହାନଦୀ କୋଲ୍ ଇଣ୍ଡିଆ ଲିମିଟେଡ୍ ଘରୋଇ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା (ଆଇପିପି)କୁ ଆବଶ୍ୟକ କୋଇଲା ଯୋଗାଣ କରିବା ଲାଗି ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି। ମୁଖ୍ୟ ସଚିବ ଆହୁରି ସତର୍କ କରାଇ ଦେଇଛନ୍ତି ଏବେ ପିଲାମାନଙ୍କର ପରୀକ୍ଷା ଋତୁ ଆରମ୍ଭ ହୋଇଯାଇଛି। ଏଣୁ ବିଦ୍ୟୁତ୍ କାଟ୍ ହେଲେ ସେମାନଙ୍କ ପାଠପଢା ପ୍ରଭାବିତ ହେବ। ତେବେ ଘରୋଇ କଂପାନିଙ୍କ ଦ୍ବାରା ଜାରି ରହିଥିବା ପାରମ୍ପରିକ ବିଦ୍ୟୁତ୍ କାଟର କାରଣ ଓ ନିରାକରଣ ସଂପର୍କରେ ଉଚ୍ଚସ୍ତରୀୟ ବୈଠକରେ କୌଣସି ସ୍ଥାୟୀ ପ୍ରତିକାର ବା ନିର୍ୟାସ ବାହାରି ପାରିନାହିଁ। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗର ପ୍ରମୁଖ ସଚିବ, ଗ୍ରିଡ୍କୋ, ଓପିଟିସିଏଲ୍, ଓଏଚପିସି, ଓପିଜିସି ଏବଂ ବିଦ୍ୟୁତ୍ ଆବଣ୍ଟନକାରୀ କଂପାନିମାନେ ଉପସ୍ଥିତ ଥିଲେ। ଶକ୍ତି ବିଭାଗ ଅଧିକାରୀମାନେ ବୈଠକରେ କହିଥିଲେ ଯେ ରାଜ୍ୟରେ ଅଂଶୁଘାତ ପରିସ୍ଥିତି ଲାଗି ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଇଛି।

ହେଲେ ସ୍ଥିତି ନିୟନ୍ତ୍ରଣରେ ରହିଛି। ମେ’ ପ୍ରଥମ ସପ୍ତାହ ସୁଦ୍ଧା ପରିସ୍ଥିତିରେ ସୁଧାର ଆସିବ। ଯେହେତୁ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି ଏଣୁ ପିକ୍ ସମୟରେ ବିଦ୍ୟୁତ୍ ଚାହିଦା ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି। ଆର୍ଥାତ୍ ଏବେ ଯେଉଁ ବିଦ୍ୟୁତ୍ ନିଅଣ୍ଟିଆ ପରିସ୍ଥିତି ଦେଖାଦେଇଛି ତାହା ସାମୟିକ ବୋଲି ସାଧାରଣରେ ଏକ ଧାରଣା ଦେବା ପାଇଁ ଶକ୍ତି ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଛି। ହେଲେ ଶକ୍ତି ସମୀକ୍ଷକମାନେ ବର୍ଣ୍ଣନା କରୁଛନ୍ତି ଯେ ଏହା ଆଦୌ ସାମୟିକ ନୁହେଁ। ଘରୋଇ କଂପାନିମାନେ ରାଜସ୍ବ ସ୍ବାର୍ଥକୁ ଗୁରୁତ୍ବ ଦେଇ ବିଦ୍ୟୁତ୍ କାଟ୍ର ଖେଳ ଖେଳି ଆସୁଛନ୍ତି। କହିବା ବାହୁଲ୍ୟ ଯେ ଦର ବୃଦ୍ଧି ସତ୍ତ୍ବେ ପ୍ରତିବର୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମାତ୍ର ଘରୋଇ ଆବଣ୍ଟନ କଂପାନି ସେହି ଚାହିଦାର ବିଦ୍ୟୁତ୍ କିଣିବାକୁ କେବେ ବି ଆବେଦନ କରୁଥିବାର ନଜିର ନାହିଁ। ଦୃଷ୍ଟାନ୍ତ ସ୍ବରୂପ, ବେଶ୍ କିଛି ବର୍ଷ ଧରି ରାଜ୍ୟରେ ଗ୍ରୀଷ୍ମକାଳରେ ସର୍ବାଧିକ ଦୈନିକ ବିଦ୍ୟୁତ୍ ଚାହିଦା (ପିକ୍ ଡିମାଣ୍ଡ) ହାରାହାରି ୫୦୦୦ରୁ ଅଧିକ ରହିଆସୁଛି। ହେଲେ ଆବଣ୍ଟନକାରୀ କଂପାନି ୪୦୦୦ ମେଗାଵାଟରୁ ସାମାନ୍ୟ ଅଧିକ ବିଦ୍ୟୁତ୍ କିଣିବାକୁ ପ୍ରସ୍ତାବ ଦେଇ ଆସୁଛନ୍ତି (ଏବର୍ଷ ତାହା ୪୫୦୦ ମେଗାଵାଟ୍) ଓ ତାହା ଆୟୋଗର ମଞ୍ଜୁରି ଲାଭ କରିଆସୁଛି। ସୁତରାଂ ଏଭଳି ଷଡଯନ୍ତ୍ରରେ କେବଳ ଯେ ଆବଣ୍ଟନକାରୀ କଂପାନି ଅଛନ୍ତି, ତା ନୁହେଁ, ବରଂ ଗ୍ରିଡକୋ ଏବଂ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଭୂମିକା ବେଶ୍ ଜଳ ଜଳ।

Related Posts