ଉତ୍ତର କୋରିଆରେ ଆଖି ବୁଜିଲେ ପ୍ରଥମ କରୋନା ଆକ୍ରାନ୍ତ

ସିଓଲ: କରୋନା ଠୁ ବହୁତ୍ ଦୂରରେ ଥିବା ନେଇ ଦାବି କରି ଆସୁଥିବା ଉତ୍ତର କୋରିଆରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।


ଦୀର୍ଘ ଦୁଇ ବର୍ଷ ପରେ ଉତ୍ତର କୋରିଆରେ ମହାମାରୀ କରୋନା ପ୍ରଥମ ଆକ୍ରାନ୍ତ ଙ୍କ ଜୀବନ ନେଇଛି। ସେହିପରି ପ୍ରବଳ ଜ୍ୱର ଯୋଗୁ ଆଉ ୫ ଜଣଙ୍କ ଜୀବନ ମଧ୍ୟ ଯାଇଛି। ପ୍ରାଣ ହରାଇଥିବା ୫ ଜଣ କରୋନାରେ ଆକ୍ରାନ୍ତ ଥିଲେ କି ନାହିଁ, ସେକଥା ଜଣାପଡ଼ିନି। କିନ୍ତୁ ସମସ୍ତଙ୍କ ଶରୀରରେ କରୋନାର ଲକ୍ଷଣ ସବୁ ଦେଖାଯାଉଥିଲା।

ସୂଚନାଯୋଗ୍ୟ, ଉତ୍ତର କୋରିଆରେ ଏବେ ଜ୍ୱର ଜନିତ ରୋଗ ଦ୍ରୁତଗତିରେ ମାଡ଼ିବାରେ ଲାଗିଛି। ଗତକାଲି ଉତ୍ତର କୋରିଆରର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ୍‌ ଦେଶରେ କରୋନା ଭାଇରସ ପ୍ରବେଶ କରିଥିବା କଥା ସ୍ୱୀକାର କରିଥିଲେ। ୨୦୨୦ରୁ ସାରା ବିଶ୍ୱରେ କରୋନା ବ୍ୟାପିଥିଲେ ମଧ୍ୟ ଉତ୍ତର କୋରିଆ କେବେ ହେଲେ ନିଜ ଦେଶରେ ଭାଇରସ ପ୍ରବେଶ କରିଥିବା କଥା ସ୍ୱୀକାର କରି ନଥିଲା। ହେଲେ ଗତକାଲି ଉତ୍ତର କୋରିଆର ରାଜଧାନୀରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି କରୋନାର ଓମିକ୍ରନ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର କୋରିଆରେ ଗୁରୁତର ଜାତୀୟ ଏମରଜେନ୍ସି ଲାଗୁ କରାଯାଇଛି। ଲକଡାଉନ ଓ ଶଟଡାଉନ ସହ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ବିଭିନ୍ନ ଛକ ଓ ଗଳି କନ୍ଦିରେ ଚେକିଂ ହେଉଛି।

କେସିଏନଏ ନ୍ୟୁଜର ରିପୋର୍ଟ ଅନୁଯାୟୀ, ଏପ୍ରିଲ ମାସରୁ ହିଁ ଉତ୍ତର କୋରିଆରେ ଜ୍ୱର ଜନିତ ରୋଗ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ୧,୮୭,୮୦୦ ଲୋକ ଜ୍ୱର ଯୋଗୁ ଆଇସୋଲେସନରେ ରହିଛନ୍ତି। ମୋଟ ୩,୫୦,୦୦୦ ଲୋକଙ୍କ ଶରୀରରେ ଜ୍ୱରର ଲକ୍ଷଣ ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଏଯାଏ ୧,୬୨,୨୦୦ ଲୋକ ସୁସ୍ଥ ହୋଇଛନ୍ତି। ଜ୍ୱର ଲକ୍ଷଣ ଥାଇ ୬ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ଜ୍ୱର ପୀଡ଼ିତ ଓମିକ୍ରନ ଭାରିଏଣ୍ଟ ସ୍ପଂର୍ଶସରେ ଆସିଥିଲେ।

ବର୍ତ୍ତମାନ ଦେଶରେ ଗୁରୁତର ଜାତୀୟ ଏମରଜେନ୍ସି ଲାଗୁ କରାଯାଇଥିବା ବେଳେ ସହର ଗୁଡ଼ିକୁ ଲକଡାଉନ କରାଯାଇଛି। ଗୁରୁବାର କିମ ଜଙ୍ଗ ଉନ୍‌ ଆଣ୍ଟି ଭାଇରସ କମାଣ୍ଡ ସେଣ୍ଟରକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି।

Related Posts