
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ ବୁଧବାର ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଛନ୍ତି। ଏହାପରେ ସେ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କଥାରେ ନୁହେଁ, ବରଂ କାମ କରି ଦେଖାଇବି। ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ବଡ ସୁଯୋଗ, ବଡ ଦାୟିତ୍ୱ ମିଳିଛି। ମୋର ପ୍ରାଥମିକତା ହେଉଛି ସାଧାରଣ ଲୋକଙ୍କର ସେବା କରିବା ।ଆଗକୁ ଆପଣ ଦେଖିବେ, ବୈଷୟିକ ସଂସ୍କାର, ରେଜିଷ୍ଟ୍ରି ସଂସ୍କାର ହେଉ ବା ନ୍ୟାୟିକ ସଂସ୍କାର, ଆମେ ନାଗରିକଙ୍କୁ ପ୍ରାଥମିକତା ଦେବୁ।
ତେବେ ଆଜି ହୋଇଥିବା ପ୍ରଧାନ ବିଚାରପତିଙ୍କ ଶପଥ ଗ୍ରହଣ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆଇନମନ୍ତ୍ରୀ କିରେନ୍ ରିଜିଜୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଭାରତର ପୂର୍ବତନ ପ୍ରଧାନ ବିଚାରପତି ୟୁ. ୟୁ. ଲଳିତ ଏବଂ ସୁପ୍ରିମ୍ କୋର୍ଟର ଅନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ।
ସୂଚନା ମୁତାବକ, ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ୨୦୨୪ ନଭେମ୍ବର ୧୦ ତାରିଖରେ ଅବସର ଗ୍ରହଣ କରିବେ। ତେବେ ଏହା ହେଉଛି ଭାରତୀୟ ବିଚାର ବିଭାଗରେ ପ୍ରଥମ ଦୃଷ୍ଟାନ୍ତ ଯେଉଁଠି ଉଭୟ ପିତା ଓ ପୁତ୍ର ଦେଶର ପ୍ରଧାନ ବିଚାରପତି ହେବାର ସୁଯୋଗ ପାଇଛନ୍ତି। ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ପିତା ୟେଶ୍ୱନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼ ୧୯୭୮ ଫେବ୍ରୁଆରି ୨ରୁ ୧୯୮୫ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଭାରତର ୧୬ଶ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ୨୦୧୬ ମେ ୧୩ ତାରିଖରେ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିବା ତାଙ୍କ ପୁଅ ଡି. ୱାଇ. ଚନ୍ଦ୍ରଚୂଡ଼ ଉଦାର ଏବଂ ପ୍ରଗତିଶୀଳ ବିଚାର ପାଇଁ ସୁପରିଚିତ। ଅବିବାହିତ ମହିଳାମାନଙ୍କ ଗର୍ଭପାତ ଅଧିକାର ୨୪ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଇବା ହେଉଛି ତାଙ୍କ ଉପରୋକ୍ତ ବିଚାରଧାରାର ଦୃଷ୍ଟାନ୍ତ।