ଟି-୨୦ ବିଶ୍ୱକପ; ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କଲା ପାକିସ୍ତାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟି-୨୦ ବିଶ୍ୱକପରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କଲା ପାକିସ୍ତାନ । ଆଜିର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରି ଦଳ ଫାଇନାଲରେ ପ୍ରବେଶ କରିଛି । ଦଳ ପକ୍ଷରୁ ଦୁଇ ଓପନର ରିଜୱାନ ଓ ବାବରଙ୍କ ବଡ ପାର୍ଟନରସିପ ଯୋଗୁଁ ଦଳ ଏହି ବଡ ବିଜୟ ହାସଲ କରିଛି ।ଏବେ ପାକିସ୍ତାନ ଫାଇନାଲରେ କାହାକୁ ଭେଟିବ ତା ଉପରେ ରହିଛି ସମସ୍ତଙ୍କ ନଜର ।

ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଆରମ୍ଭରୁ ନ୍ୟୁଜିଲାଣ୍ଡକୁ ଝଟକା ଲାଗିଥିଲା । ପ୍ରଥମ ଓଭରରେ ଫିନ ଆଲେନ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ । ଦଳ ପକ୍ଷରୁ କେବଳ ଡାର୍ଲି ମିଚେଲ ୫୩ ରନ କରି ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ୱିଲିୟମସନ ୪୬ ରନ କରିଥିବା ବେଳେ କନୱେ ୨୧ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୧୫୨ ରନ କରିବାରେ ସକ୍ଷମ ହୋଇଥିଲା ।

୧୫୩ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ପାକିସ୍ତାନ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ଦଳର ଦୁଇ ଓପନର ବାବର-ରିଜୱାନଙ୍କ ଯୋଡ଼ି ୧୦୫ ରନର ବଡ ପାର୍ଟନରସିପ କରିଥିଲେ । ଦଳ ପକ୍ଷରୁ ବାବର ୫୩ ଓ ରିଜୱାନ ୫୭ ରନ କରିଥିଲେ । ଫଳରେ ଦଳ ୧୯ ଓଭର ବଲରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଆଉ ଫାଇନାଲରେ ପ୍ରବେଶ କରିଥିଲା।

ତେବେ ଆସନ୍ତାକାଲି ରହିଛି ଦ୍ଵିତୀୟ ସେମିଫାଇନାଲ। ଏହି ମୁକାବିଲାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଢେ଼ଇ ହେବ। ବିଜେତା ଦଳ ଫାଇନାଲ ରେ ପାକିସ୍ତାନ କୁ ଭେଟିବ। ତେବେ ଭାରତ ଓ ପାକିସ୍ତାନ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ହୋଇଥିବାବେଳେ ଫାଇନାଲରେ ପୁଣି ଭାରତ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ। ସୂଚନାଯୋଗ୍ୟ ଯେ, ଭାରତ ପାକିସ୍ଥାନକୁ ଚଳିତ ବିଶ୍ୱକପ୍ ର ଲିଗ୍ ପର୍ଯ୍ୟାୟରେ ହରାଇ ସାରିଛି।

Related Posts