ପଳାତକ ନିରବ ମୋଦି ଭାରତ ଫେରିବା ନେଇ ଫିଟିଲା ରାସ୍ତା, ପ୍ରତ୍ୟର୍ପଣ ରୋକିବା ଆବେଦନକୁ ଖାରଜ କଲେ ବ୍ରିଟେନ୍ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଳାତକ ବ୍ୟବସାୟୀ ନିରବ ମୋଦିଙ୍କୁ ଖୁବ ଶୀଘ୍ର ଭାରତ ଅଣାଯାଇପାରେ। ଏ ନେଇ ବ୍ରିଟେନ ହାଇକୋର୍ଟରୁ ସବୁଜ ସଂକେତ ମିଳିଛି। ପ୍ରତ୍ୟାର୍ପଣ ରୋକିବା ଲାଗି ବ୍ରିଟେନ ହାଇକୋର୍ଟରେ କରାଯାଇଥିବା ଆବେଦନ ଖାରଜ ହୋଇଯାଇଛି। ନିରବଙ୍କ ପ୍ରତ୍ୟାର୍ପଣ କୌଣସି ଦୃଷ୍ଟିରୁ ଅନ୍ୟାୟପୂର୍ଣ୍ଣ ଅଥବା ଦମନକାରୀ ନୁହେଁ ବୋଲି କୋର୍ଟ କହିଛନ୍ତି।

ତେବେ ଦୀର୍ଘ ସମୟରୁ ଭାରତ ନିରବ ମୋଦିଙ୍କ ପ୍ରତ୍ୟାର୍ପଣକୁ ଅପେକ୍ଷା କରି ରହିଛି। ବ୍ରିଟେନରେ ଶରଣ ନେଇଥିବା ପଳାତକ ବ୍ୟବସାୟୀ ପ୍ରତ୍ୟାର୍ପଣ ଟାଳିବା ପାଇଁ ଲଗାତାର ଅଲଗା ଅଲଗା ତର୍କ ଦେଉଛି। ବ୍ରିଟେନ ହାଇକୋର୍ଟରେ ନିରବଙ୍କ ଓକିଲ ସେ ଅବସାଦର ଶିକାର ହୋଇଥିବା ଓ ଭାରତୀୟ ଜେଲମାନଙ୍କର ଯାହା ଅବସ୍ଥା ଏଥିରେ ସେ ଆତ୍ମହତ୍ୟା ନ କରିବେ ବୋଲି କହି ହେବ ନାହିଁ ବୋଲି ତର୍କ କରିଥିଲେ।

ତେବେ ବ୍ରିଟେନ ହାଇକୋର୍ଟ ଶୁଣାଣି ପରେ ଓକିଲଙ୍କ ତର୍କକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହା ପୂର୍ବରୁ ଯେତେବେଳେ ମାମଲାର ଶୁଣାଣି ହୋଇଥିଲା ସେତବେଳେ ଜଷ୍ଟିସ ରବର୍ଟ ଜେ ବ୍ରିଟେନ ସହ ଭାରତର ସୁ ସମ୍ପର୍କ ଥିବା ଓ ୧୯୯୨ ଇଣ୍ଡିଆ-ୟୁକେ ଏକ୍ସଟ୍ରାଡିସନ ଟ୍ରିଟି ସମ୍ମାନ କରିବା ଜରୁରି ବୋଲି କହିଥିଲେ। କୋର୍ଟ ତାଙ୍କ ଆଦେଶରେ ଏହା ମଧ୍ୟ ସ୍ପଷ୍ଟ କରିଦେଇଥିଲେ ଯେ ଗତବର୍ଷ ପ୍ରତ୍ୟାର୍ପଣ ମାମଲାରେ ୱେଷ୍ଟମିନେଷ୍ଟର କୋର୍ଟ ଯେଉଁ ରାୟ ଦେଇଥିଲେ ତାହା ଉପଯୁକ୍ତ ଥିଲା।

ତେବେ ଆତ୍ମହତ୍ୟାର ତର୍କ ପ୍ରତ୍ୟାର୍ପଣ ଲାଗି ଆଧାର ହୋଇ ନପାରେ ବୋଲି କୋର୍ଟ କହିଛନ୍ତି। ଶୁଣାଣିରେ ଜଜ୍ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆଶ୍ୱାସନା ସମ୍ପର୍କରେ ମଧ୍ୟ କହିଥିଲେ। ଜେଲରେ ନିରବ ମୋଦିଙ୍କୁ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନି ଓ ତାଙ୍କର ସାଇକିଆଟ୍ରିକ ଡାଇଗ୍ନୋସିସ୍ ମଧ୍ୟ କରାଯିବ ବୋଲି ଭାରତ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଭାରତ ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଓକିଲ ହେଲେନ ମାଲକମ୍ ମଧ୍ୟ ଏହା ଏକ ସମ୍ବେଦନଶୀଳ ଓ ହାଇପ୍ରୋଫାଇଲ ମାମଲା ହୋଇଥିବାରୁ ନିରବ ମୋଦିଙ୍କ ସମ୍ପୂର୍ଣ୍ଣ ଧ୍ୟାନ ରଖାଯିବ ବୋଲି କୋର୍ଟଙ୍କୁ କହିଛନ୍ତି।

ତେବେ ହାଇକୋର୍ଟଙ୍କ ରାୟ ଉପରେ ନିରବ ମୋଦିଙ୍କ ଟିମ୍‌ ଏ ପର୍ଯ୍ୟନ୍ତ ତାଙ୍କର ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ କୁହାଯାଉଛି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବେ। ତେବେ ଏଥିରେ ମଧ୍ୟ ସମସ୍ୟା ରହିଛି। କାରଣ ହାଇକୋର୍ଟ ଏହି ମାମଲାକୁ ଜନସ୍ୱାର୍ଥ ସମ୍ବଳିତ ବୋଲି କହିଛନ୍ତି। ଏଣୁ ନିରବଙ୍କୁ ସୁପ୍ରିମକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳି ନ ପାରେ ବୋଲି ଆଶା କରାଯାଉଛି।

Related Posts