ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; ଡିସେମ୍ବର ୫ରେ ଭୋଟ, ୮ରେ ଆସିବ ଫଳାଫଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ଏଥିପାଇଁ ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ନଭେମ୍ବର ୧୭ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏହାପରେ ୧୮ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ହେବାକୁଥିବାବେଳେ ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ। ଏନେଇ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପଦ୍ମପୁରରେ ରାଜନୈତିକ ମାହୋଲ୍ ସରଗରମ ହୋଇଯାଇଛି। ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ନିଜ ନିଜ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ କସରତ ଆରମ୍ଭ କରିଛନ୍ତି। ବିଜେଡିରୁ ପ୍ରାର୍ଥୀ ହେବା ନେଇ ଦିବଂଗତ ବିଜୟ ରଂଜନ ସିଂ ବରିହାଙ୍କ ପରିବାରରୁ ସାମ୍ନାକୁ ଆସୁଛି ଦୁଇଟି ଚେହେରା। ଜଣେ ବିଜୟ ରଂଜନଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହା ଓ ଅନ୍ୟ ଜଣେ ହେଲେ ତାଙ୍କ ପୁତୁରା ବୋହୂ ମାଧବୀ ସିଂ ବରିହା। ଏହାକୁ ନେଇ ଦଳ ଦ୍ବନ୍ଦରେ ଥିବା ବେଳେ ବରିହାଙ୍କ ପରିବାର ବାହାରୁ ମଧ୍ୟ କିଛି ଆଶାୟୀ ନିଜ ନିଜ ସ୍ତରରେ ଲବି ଚଳାଇଛନ୍ତି।

ସେପଟେ ଧାମନଗର ଫଳାଫଳ ପରେ ଫୁଲ୍ ଜୋସ୍ ରେ ରହିଛି ବିଜେପି କ୍ୟାମ୍ପ। ଧାମନଗର ଭଳି ପଦ୍ମପୁର ଉପନିର୍ବାନ ଲାଗି ତୟାର ହୋଇଛି ଷ୍ଟ୍ରାଟେଜି। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏଠାରୁ ଦଳୀୟ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଧାମନଗର ବାଇ ଇଲେକ୍ସନରେ ବିଜେଡିକୁ ମାତ୍ ଦେଇ ଚର୍ଚ୍ଚାରେ ଥିବା ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଏଠାକୁ ପ୍ରଚାର ପାଇଁ ଆଣିବାକୁ ଯୋଜନା କରୁଛି ଦଳ।

ସେହିପରି କଂଗ୍ରେସ୍ ପକ୍ଷରୁ ମଧ୍ୟ ପ୍ରାର୍ଥୀ ଚୟନ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ଟିମ୍ ୪ ଜଣଙ୍କ ନାଁ ହାଇକମାଣ୍ଡକୁ ସୁପାରିଶ କରିଛି। ସେମାନଙ୍କ ମଧ୍ୟରୁ ରେସରେ ଆଗରେ ଅଛନ୍ତି ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ।

Related Posts