(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ପୁଣି ଥରେ ଦେଖିବାକୁ ମିଳିଛି। ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ଲାଗିଛନ୍ତି ରୋଗୀଙ୍କ ସେବାରେ । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏମିତି ଏକ ସାଂଘାତିକ ଅଭିଯୋଗ। ଜଣେ ରୋଗୀଙ୍କୁ ସିକ୍ୟୁରିଟି ଗାର୍ଡ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ମଧ୍ୟ ହେଉଛି।
ଭିଡିଓଟି ଦୁଇ ଦିନ ତଳର ବୋଲି ଜଣାପଡ଼ିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ବୁଧବାର ଭିଡ଼ିଓ ଭାଇରାଲ୍ ହୋଇଛି । ଭିଡିଓ ଭାଇରାଲ୍ ହେବା ପରେ ପୁଣି ଥରେ ବିବାଦ ଭିତରକୁ ଟାଣି ହୋଇ ଆସିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ।
ସୂଚନା ଥାଉକି ଗତ ମାସ ୧୮ ତାରିଖରେ ଗଞ୍ଜାମର ହିଞ୍ଜିଳିକାଟୁ ଡାକ୍ତରଖାନାରେ ଜଣେ ସୁରକ୍ଷା କର୍ମୀ ରୋଗୀଙ୍କ ରକ୍ତ ଚାପ ମାପୁଥିବା ଘଟଣା ସାମ୍ନାକୁ ଆସିବା ପରେ ଏସିଏସ୍ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ ଯେ, ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ ଅଣ-ସ୍ୱାସ୍ଥ୍ୟକର୍ମୀଙ୍କୁ ଆଦୌ ନିୟୋଜିତ କରାଯାଇପାରିବ ନାହିଁ।
ତେବେ ସରକାରଙ୍କ ନିର୍ଦ୍ଦେଶର ମାସ ପରେ ପୁଣି ଥରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏମିତି ଏକ ସାଙ୍ଘାତିକ ଅଭିଯୋଗ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ ପାରାମେଡ଼ିକାଲ ଷ୍ଟାଫ ଥିବା ସତ୍ତ୍ୱେ ଏମିତି ଏକ ଘଟଣା କେମିତି ଘଟିଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୂର୍ବରୁ ଜିଲ୍ଲାରେ ଏକାଧିକ ରୋଗୀଙ୍କ ଦେହରେ ଇଞ୍ଜେକସନ୍ ମାରିବା ବେଳେ ଛୁଞ୍ଚି ଭାଙ୍ଗିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ଅଭିଜ୍ଞ ତଥା ତାଲିମ୍ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପକ୍ଷରେ ଏଭଳି ଅଘଟଣ ଘଟୁଥିବା ବେଳେ ଜଣେ ସୁରକ୍ଷାକର୍ମୀ କେଉଁ ଯୋଗ୍ୟତା ବଳରେ ରୋଗୀଙ୍କୁ ଇଞ୍ଜେକସନ୍ ଦେଇଛନ୍ତି ଏବେ ତାକୁ ନେଇ ବିବାଦ ସୃଷ୍ଟି ହୋଇଛି ?
ଇଞ୍ଜେକସନ୍ ଦେବା ଭଳି ସମ୍ବେଦନଶୀଳ କାର୍ଯ୍ୟରେ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଏଭଳି ମନମୁଖୀ ଆଚରଣକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ ଏଡିଏମ୍ଓ(ମେଡିକାଲ୍) ଡାକ୍ତର ମାନସ ରଞ୍ଜନ ବିଶ୍ୱାଳ କହିଛନ୍ତି ଯେ , ଏଭଳି ଘଟଣା ତାଉ ନଜରକୁ ଆସିନାହିଁ । ଅଭିଯୋଗର ସତ୍ୟତା ଯାଞ୍ଚ କରିବା ପରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।