ଦିନ ଦ୍ୱିପ୍ରହରରେ ବସ୍‌ଷ୍ଟପ୍‌ରେ ଯାତ୍ରୀଙ୍କ ଠାରୁ ଲୁଟ୍‌ : ପ୍ରତିବାଦ କରିବାରୁ ନିସ୍ତୁକ ମାଡ଼

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ପୋଲିସକୁ ଭୟ କରୁ ନାହାନ୍ତି ଅପରାଧୀ । ରାଜରାସ୍ତାରେ ଲୁଟ ଉଦ୍ୟମ ହେଉଛି ଏବଂ ପ୍ରତିବାଦ କଲେ ମରଣାନ୍ତକ ଆକ୍ରମଣ ହେଉଛି । ଏହି ଘଟଣା ପୁଣି ଘଟିଛି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ସ୍ୱସ୍ତି ପ୍ରିମିୟମ ସଲଗ୍ନ ଏକ ବସ ଷ୍ଟପରେ ଜଣେ ଯୁବକ ବସକୁ ଅପେକ୍ଷା କରିଥିଲେ। ଆଉ ଏହି ସମୟରେ ଯୁବକଙ୍କ ଠାରୁ ମୋବାଇଲ ଓ ପର୍ସ ଛଡେଇବା ସହ ମାଡ ମାରିଥିଲେ।

ମିଳିଥିବା ସୂଚନା ମୁତାବକ , ଲୁଟର ଶିକାର ହୋଇଥିବା ଯୁବକ ଜଣକ ନାଁ ହେଉଛି ରଶ୍ମିରଞ୍ଜନ ସାହୁ। ସେ ବସଷ୍ଟପ୍ ରେ ବସିଥିବା ବେଳେ ଦୁଇଜଣ ଲୁଟେରା ନିଶାଶକ୍ତ ଅବସ୍ଥାରେ ଆସି ସେଠାରେ ବସିଥିଲେ । ରଶ୍ମୀ ରଞ୍ଜନ ତାଙ୍କ ସାଙ୍ଗଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ତାଙ୍କ ଠାରୁ ମୋବାଇଲ ଏବଂ ଟଙ୍କା ଛଡାଇ ନେଇଥିଲେ। ତେବେ ରଶ୍ମି ଏହାର ପ୍ରତିବାଦ କରିବାରୁ ବସ ଷ୍ଟପ ପଛପଟେ ଥିବା ଗହଳିଆ ବୁଦାକୁ ତାଙ୍କୁ ଘୋଷାଡି ନେଇ ହକି ଷ୍ଟିକରେ ଦୁଇ ଲୁଟେରା ନିର୍ଦ୍ଧୁମ ମାଡ ମାରିଥିବା ନେଇ ଅଭିଯୋଗ କରିଥିଲେ।

ତେବେ ଯୁବକଙ୍କ ପାଟି ଶୁଣି ଆଖପାଖ ଲୋକେ ଲୁଟେରାକୁ ଘେରି ଯାଇଥିଲେ , କିନ୍ତୁ କୌଶଳ କ୍ରମେ ଜଣେ ଲୁଟେରା ୧୫୦୦୦ ଟଙ୍କା ଥିବା ବ୍ୟାଗ ନିଜ ସହ ନେଇ ଫେରାର ହୋଇଯାଇଥିଲେ। ରାକେଶ ନାମକ ଅନ୍ୟ ଜଣେ ଲୁଟେରାକୁ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରି ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୋଗକାରୀ ଏବଂ ଅଭିଯୁକ୍ତକୁ ଥାନାକୁ ନେଇଥିଲେ। 

ଅଭିଯୋଗକାରୀ ରଶ୍ମିରଞ୍ଜନଙ୍କ ଘର ଡମଣା ନିକଟସ୍ଥ ମାକ୍ସ ଶୋରୁମ ପାଖରେ ହୋଇଥିବା ବେଳେ ଗିରଫ ପପୁନ ବେହେରାର ଘର ହତିଆସୁଣି ବସ୍ତିରେ । ଗିରଫ ହେବା ପରେ ପପୁନ ସାହାଯ୍ୟରେ ହତିଆସୁଣି ବସ୍ତିରେ ରହୁଥିବା ଅନ୍ୟ ଜଣେ ଲୁଟେରା ମଧ୍ୟ ଧରାପଡିଛି ଯାହାର ନାମ ଆକାଶ ସୁନା ବୋଲି ଜଣାପଡିଛି। ତେବେ ଦିନ ଦ୍ୱିପ୍ରହରରେ ଲୁଟ୍ ରାଜଧାନୀର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related Posts