ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ : ‘କେତେ ଡାକ୍ତର ପଦବି ଖାଲି ପଡିଛି ଓ ପୂରଣ ପାଇଁ କେତେ ସମୟ ଆବଶ୍ୟକ ସ୍ପଷ୍ଟ କର ?’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟରେ କେତେ ଡାକ୍ତର ପଦବି ଖାଲି ପଡିଛି ଏବଂ ଏହି ପଦବୀ ଗୁଡିକୁ ପୂରଣ ପାଇଁ କେତେ ସମୟ ଆବଶ୍ୟକ ଏହି ପ୍ରସଙ୍ଗରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ଉଚ୍ଚ ନ୍ୟାୟାଳୟ। ଏହି ପ୍ରସଙ୍ଗରେ ସତ୍ୟପାଠ ଜରିଆରେ ଓଡ଼ିଶା ମେଡିକାଲ ଓ ସ୍ବାସ୍ଥ୍ୟ ସେବା (ଓଏମଏଚଏସ) ଏବଂ ଓଡ଼ିଶା ମେଡିକାଲ ଶିକ୍ଷା ସେବା (ଓଏମଇଏସ୍) କ୍ୟାଡର୍‌ରେ କେତେ ସଂଖ୍ୟକ ପଦବି ଖାଲି ପଡିଛି ସେ ନେଇ ତଥ୍ୟ ଉପସ୍ଥାପନ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଏହା ସଙ୍ଗେ ସଙ୍ଗେ ଖାଲିପଡିଥିବା ଡାକ୍ତର ପଦବୀ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ପୂରଣ କରିବା ପାଇଁ କଣ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ସେ ନେଇ ସତ୍ୟପାଠରେ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ଜୁଲାଇ ୨ରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ହାଇକୋର୍ଟରେ କେତେକ ଡାକ୍ତର ପଦବି ପୂରଣ ପାଇଁ ଅନୁମୋଦନ ହୋଇଛି ସେ ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନର କଣ ସ୍ଥିତି ରହିଛି ସେ ନେଇ ସତ୍ୟପାଠରେ ତଥ୍ୟ ଦାଖଲ କରାଯିବା ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟପାଠର ଏକ କପି ଆବେଦନକାରୀଙ୍କୁ ମଧ୍ୟ ପ୍ରଦାନ କରାଯିବ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସାମାଜିକ କର୍ମୀ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ପୁରା ମାମଲା କଣ ?

୨୦୨୦, ଜାନୁଆରି ୩ ରେ ଖାଲି ପଡିଥିବା ଡାକ୍ତର ପଦବି ପୂରଣ ପ୍ରସଂଗରେ ହାଇକୋର୍ଟ କହିଥିଲେ ଏ ସମ୍ପର୍କରେ ସରକାରଙ୍କ କଣ ପଦକ୍ଷେପ ରହିଛି ସେ ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ। ଖାଲି ପଡିଥିବା ପଦବି ପୂରଣ ପାଇଁ ସରକାରଙ୍କୁ କେତେ ସମୟ ଲୋଡ଼ା ସେ ନେଇ ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରକ୍ରିୟା ୬ ମାସ ଭିତରେ ଶେଷ ହେବ ବୋଲି ଉଚ୍ଚ ନ୍ୟାୟାଳୟ କହିଥିଲେ । ୨୦୨୧, ମାର୍ଚ୍ଚ ୨୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ଖାଲି ପଡିଥିବା ଡାକ୍ତର ପଦବି ପୂରଣ ପ୍ରସଂଗରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏବଂ ଜୁନ୍ ୨୪ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଓ ଜୁଲାଇ ୨ରେ ଓପିଏସସି ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା।

ତେବେ ଗତ ମେ ୧୩ ତାରିଖରେ ଓପିଏସସି ପକ୍ଷରୁ ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ୍) ମେଡିକାଲ ଅଫିସର ପଦବିରେ ନିଯୁକ୍ତି ପାଇଁ ୭୮୬ ପ୍ରାର୍ଥୀଙ୍କ ତାଲିକା ପ୍ରଦାନ କରାଯାଇଥିଲା। ସତ୍ୟପାଠରେ ସରକାରଙ୍କ ତରଫରୁ ସୂଚନା ଦିଆଯାଇଥିଲା ଯେ ୭୫୧ ଜଣ ଡାକ୍ତରଙ୍କୁ ନିଯୁକ୍ତିପତ୍ର ଗତ ଜୁନରେ ପ୍ରଦାନ କରିଛନ୍ତି। କିନ୍ତୁ ସତ୍ୟପାଠରେ ଏ ସମ୍ପର୍କରେ ସ୍ପଷ୍ଟିକରଣ ନଥିଲା ଯେ ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ୍) ମେଡିକାଲ ଅଫିସର ପଦବି ଛଡ଼ା ଅନ୍ୟ ପଦବି‌ ଗୁଡିକରେ ନିଯୁକ୍ତି ପାଇଁ ଓପିଏସସି କଣ କରିଛି?

ସେହିଭଳି ଭାବେ ସରକାରୀ ମେଡିକାଲ କଲେଜରେ ମଞ୍ଜୁରୀପ୍ରାପ୍ତ ଷ୍ଟାଫ୍ ଙ୍କ ମଧ୍ୟରୁ ବର୍ତ୍ତମାନ ୧୬୬୧ ଜଣିଛନ୍ତି। ସରକାରଙ୍କ ପକ୍ଷରୁ ସତ୍ୟପାଠରେ ଏହା ମଧ୍ୟ କୁହାଯାଇଛି ଯେ ୩୩୭ ପଦ ଖାଲି ପଡିଛି । ପଦବି ପୂରଣ ପ୍ରସଂଗରେ କୌଣସି ସମୟସୀମା ସଂକ୍ରାନ୍ତରେ ସତ୍ୟପାଠରେ ଉଲ୍ଲେଖ କରାଯାଇ ନଥିବା ଜଣା ପଡିନଥିଲା। ତେଣୁ ଏହି ପ୍ରସଂଗରେ ଅନୁଧ୍ୟାନ କରି ସବିଶେଷ ତଥ୍ୟ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ହାଇକୋର୍ଟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related Posts