
ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ ଘଟଣା । କ୍ଷମା ମାଗିଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ । କହିଛନ୍ତି- ମୁଁ ଫଟୋ ଉଠାଇନାହିଁ କିମ୍ବା ଭିଡିଓ କରିନାହିଁ । କିଏ ଭିଡିଓ ଉଠାଇଲା ଓ ପୋଷ୍ଟ କଲା ମୁଁ ଜାଣିନାହିଁ । ମୋର ଅଧିକ ସଚେତନ ହେବା ଦରକାର ଥିଲା । ସିକ୍ୟୁରିଟି ଅଫିସରଙ୍କ ଅନୁମତି ନେଇ ଯାଇଥିଲି ବୋଲି କହିଛନ୍ତି ଏଲିନା । ସେପଟେ ଏହି ଘଟଣାରେ ହୀରାକୁଦ ଏସ୍ଡିପିଓଙ୍କୁ ସମ୍ବଲପୁର ରିପୋର୍ଟ ତଲବ କରିଛନ୍ତି ଏସ୍ପି । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି । ଏହି ଭାଇରାଲ ଭିଡିଓରେ ଏଲିନା, ପ୍ରକୃତି ମିଶ୍ରଙ୍କ ସମେତ ତିନି ଜଣ ଅଭିନେତ୍ରୀ ଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ତିନି ଅଭିନେତ୍ରୀ ଏକ ପ୍ରମୋସନାଲ କାମରେ ସମ୍ବଲପୁର ଆସିଥିଲେ ପରେ ସମସ୍ତ ମିଶି ହୀରାକୁଦ ଡ୍ୟାମ୍ ବୁଲିବାକୁ ଯାଇଥିଲେ । ଭିଡିଓରେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ମଧ୍ୟ ଅଛନ୍ତି । ତେବେ ନିଷିଦ୍ଧାଞ୍ଚଳ ଫଟୋ ଉଠାଇବା ଉପରେ କଟକଣା ସତ୍ତ୍ବେ ଏମାନେ କେମିତି ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ସେ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ଏସ୍ପି ।..
ହୀରାକୁଦ ଜଳଭଣ୍ଡାରର ମେନ୍ ଡ୍ୟାମ ନିକଟକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ଯେଉଁଠିକୁ ଯିବାକୁ ହେଲେ ସ୍ବତନ୍ତ୍ର ଅନୁମତି ନେବାକୁ ପଡ଼ିଥାଏ । ବାଡ଼ାର ଆରପଟେ ପ୍ରାୟ ଶହେ ଫୁଟରୁ ଅଧିକ ଗଭୀର ପାଣି ରହୁଥିବାରୁ ସେଠାରେ ଅଟକିବା କିମ୍ବା ଚିତ୍ର ଉତ୍ତୋଳନ କରିବା ଉପରେ କଟକଣା ରହିଛି । ଏହି ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାର ଫଟୋ ଉଠାଇବା ବା ଭିଡିଓ ରେକର୍ଡିଂ କରିବା ନିଷିଦ୍ଧ ଓ ଦଣ୍ଡନୀୟ ହୋଇଥିଲେ ମଧ୍ୟ ଅଭିନେତ୍ରୀ ମୁଖ୍ୟ ବନ୍ଧ ଉପରେ ନିଜର ଭିଡିଓ କରିବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଉପରେ ଉଠିଛି ଅନେକ ପ୍ରଶ୍ନ ।
ନିଷିଦ୍ଧାଞ୍ଚଳକୁ ଅଭିନେତ୍ରୀଙ୍କୁ ଯିବାକୁ ଅନୁମତି ଦେଇଥିଲା କିଏ ?
ଯଦି ଗଲେ ସେଠାରେ ଫଟୋ ବା ଭିଡିଓ ରେକଡିଂ କଲା ବେଳେ ବାରଣ କରାଗଲା ନାହିଁ କାହିଁକି ?
ଅଭିନେତ୍ରୀଙ୍କ ସହ ଆଉ କିଏ କିଏ ଯାଇଥିଲେ ?
କୁହାଯାଉଛି ଅଭିନେତ୍ରୀ ଏଲିନାଙ୍କ ସହ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତାଙ୍କ ଝିଅ ବି ଥିଲେ ?
ଟାଉଣା ନେତାଙ୍କ ପ୍ରଭାବ ଯୋଗୁଁ ଫଟୋ ଉଠାଇବାକୁ ଅନୁମତି ଦିଆଯାଇନି ତ ?
ବନ୍ଧ ସୁରକ୍ଷା କର୍ତ୍ତୃପକ୍ଷ ଘଟଣାକୁ ଗୁରୁତ୍ବର ସହ ନେଇଥିବା ବେଳେ ଏଯାଏ ପୋଲିସରେ ଅଭିଯୋଗ କରିନାହାନ୍ତି କାହିଁକି ?
ଶୁଣାଯାଉଛି ଉକ୍ତ ଟାଣଉଆ ନେତାଙ୍କ ଝିଅଙ୍କୁ ଘଟଣାରୁ ଖସାଇବାକୁ ଉଦ୍ୟମ କରାଯାଉଛି । ଏହା ଯଦି ସତ୍ୟ ହୁଏ ତେବେ କଥା ଆହୁରି ସାଙ୍ଘାତିକ ।
ସୂଚନା ଅନୁସାରେ ଶନିବାର ଓଡ଼ିଆ ସିନେମା ଜଗତର ତିନିଜଣ ଅଭିନେତ୍ରୀ ସମ୍ବଲପୁର ଆସିଥିବାବେଳେ ଡ୍ୟାମ୍ ଉପର ଦେଇ ହୀରାକୁଦ ପଟରୁ ବୁର୍ଲା ପଟକୁ ଆସିଥିଲେ। ତେବେ ସେମାନେ ଡ୍ୟାମ୍ ଉପରେ ଗାଡ଼ି ଅଟକାଇ ଫଟୋ ଓ ଭିଡିଓ ସୁଟିଂ କରିଥିଲେ। ପରେ ଜଣେ ଅଭିନେତ୍ରୀ ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମରେ ଛାଡ଼ିଥିଲେ। ଏହି ଭିଡିଓରେ ସଂପୃକ୍ତ ଅଭିନେତ୍ରୀ ‘ଆଇ ଆମ୍ ଆଟ୍ ହୀରାକୁଦ ଡ୍ୟାମ୍..’ ବୋଲି ସ୍ପଷ୍ଟ ଭାବେ କହୁଥିବା ଦେଖିବାକୁ ମିଳିଥିଲା।
ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବନ୍ଧ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ସଂପୃକ୍ତ ଅଭିନେତ୍ରୀ ମଧ୍ୟ ଆଜି ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମରୁ ଡିଲିଟ୍ କରିଛନ୍ତି। ଏହି ଘଟଣା ପରେ ସମ୍ବଲପୁରର କିଛି ସଚେତନ ନାଗରିକ ହୀରାକୁଦ ଡ୍ୟାମ୍ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କିଛିଦିନ ତଳେ ମଧ୍ୟ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଶିଳ୍ପାନୁଷ୍ଠାନର କିଛି ବରିଷ୍ଠ ଅଧିକାରୀ ହୀରାକୁଦ ଡ୍ୟାମ୍ ଉପରେ ଫଟୋ ଉଠାଇଥିଲେ। ଏହାକୁ ନେଇ ବି ସେତେବେଳେ ଚର୍ଚ୍ଚା ହୋଇଥିଲା।