ନବୀନଙ୍କ ପ୍ରଶଂସାରେ ଶତମୁଖ ଗଜପତି

(ସତ୍ୟପାଠ ବ୍ୟୁରୋ) ଶ୍ରୀକ୍ଷେତ୍ରର ନବୀକରଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ଗଜପତି । ନବୀନ ସରକାରଙ୍କ ପୁରୀ ଯୋଜନା ପାଇଁ ଗଜପତିଙ୍କ ପ୍ରଶଂସାକୁ ସବୁ ମହଲରୁ ମିଳିଛି ସମର୍ଥନ । ନବୀନ ପଟ୍ଟନାୟକଙ୍କ ଦ୍ବାରା ମହାପ୍ରଭୁ ପୁରୀ ବିକାଶ କରାଉଛନ୍ତି ବୋଲି ମତ ରଖିଛନ୍ତି ଭକ୍ତ ଓ ସେବାୟତ ।

ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟର ପ୍ଲାନ ଯେଉଁ ଢଙ୍ଗରେ କାର୍ଯ୍ୟକାରୀ ହେଉଛି ତାକୁ ସବୁ ମହଲରୁ ମିଳିଛି ପ୍ରଶଂସା । ଗଜପତି ମହାରାଜ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବାକୁ ଯାଇ କହିଛନ୍ତି ‘ନବୀନ ବାବୁଙ୍କ ମୁଣ୍ଡରେ ଜଗନ୍ନାଥ ପଶିଯାଇଛନ୍ତି, ତେଣୁ ଜଗନ୍ନାଥ ଯାହା ଚାହୁଁଛନ୍ତି ତାହା ହେଉଛି’ । ଶ୍ରୀମନ୍ଦିର ଚାରିପାଖରେ ଖୁନ୍ଦି ହୋଇରହିଥିବା ମଠ, ମନ୍ଦିର, ଦୋକାନ, ବଜାର, ଗଳିକନ୍ଦିରୁ ଉଚ୍ଛେଦ କରାଯାଉଛି । ଶ୍ରୀମନ୍ଦିର ସୁରକ୍ଷା  ପାଚେରିଠାରୁ ୭୫ ମିଟର ପରିଧିରେ ଉଚ୍ଛେଦ କାର୍ଯ୍ୟ ଶେଷ ହେବା ପରେ ପୁରୀ ଧାମର ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ପୁରୀର ବିକାଶ ପାଇଁ ଏହି ନବୀକରଣ କାର୍ଯ୍ୟକୁ ସାକାର କରିବା ପାଇଁ ସମସ୍ତେ ସହଯୋଗ କରିବା ଦରକାର ବୋଲି ଭକ୍ତ ଓ ସେବାୟତ ସମସ୍ତେ କହୁଛନ୍ତି । ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ନବୀକରଣ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରୁଛନ୍ତି । ମଙ୍ଗୁମଠ ନବୀକରଣ କାର୍ଯ୍ୟ ପରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ପ୍ଲାନକୁ ପ୍ରଶଂସା କରିଛନ୍ତି ଶିଖ୍ ସଂପ୍ରଦାୟ ମଧ୍ୟ ।.

୧୯୬୦ ମସିହା ପରଠାରୁ ଶ୍ରୀମନ୍ଦିର ପ୍ରଶାସନ ହାତକୁ ଆସିଛି ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ବ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସରକାର ପୁରୀର ଏଭଳି ଆମୂଳଚୂଳ ପରିବର୍ତ୍ତନ କଥା ଚିନ୍ତା କରି ନଥିଲେ । ଫୋନି କ୍ଷୟକ୍ଷତି ପରେ ପୁରୀ ରାଜ୍ୟ ସରକାରଙ୍କ ପ୍ରାଇମ୍ ଫୋକସ୍ ରହିଛି । ପୁରୀକୁ ବିକାଶର ଏକ ମଡେଲ ଭାବେ ପରିଚୟ କରିବାକୁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଚାରିଆଡ଼ୁ ସାବାସୀ ମିଳିଛି ।

Related Posts