ଅରୁଣଙ୍କ ବାଇଟ୍‌ ଖୋଲିଦେଲା ଓଡ଼ିଶାର ନ୍ୟୁଜ୍‌ ଚ୍ୟାନେଲ୍‌ଙ୍କ ଗୁମର

ନିର୍ଦ୍ଦିଷ୍ଟ ଦଳ ଓ ନେତାଙ୍କ ବିରୋଧରେ କୌଣସି ଖବର ପ୍ରସାରଣ କରିବା ତ ଦୂରର କଥା, କୌଣସି ଖବର ସଂଗ୍ରହ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି ଓଡ଼ିଶାର ବୈଦ୍ୟୁତିକ ଗଣମାଧ୍ୟମ, ଯାହା ସାମ୍ବାଦିକତାର ଏଥିକାଲ୍ ପ୍ରାକ୍ଟିସ୍‌ର ବିରୋଧୀ ।

ରାଜନୈତିକ ପ୍ରତିଦ୍ବନ୍ଦ୍ବିତା ଭିତରେ ଓଡ଼ିଶାର ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ମଧ୍ୟ କେମିତି ବାଣ୍ଟି ହୋଇଯାଇଛନ୍ତି ତାର ପର୍ଦ୍ଦାଫାସ୍‌ ହୋଇଛି । ମାତ୍ର 45 ସେକେଣ୍ଡର ଗୋଟିଏ ଦୃଶ୍ୟ ଖୋଲିଦେଇଛି ରାଜ୍ୟର ବୈଦ୍ୟୁତିକ ଗଣମାଧ୍ୟମ ଗୁଡ଼ିକର ଗୁମର । ଅର୍ଥ ଓ ସ୍ବାର୍ଥ ଲୋଭରେ ଗଣମାଧ୍ୟମ ସଂସ୍ଥାମାନେ ନିର୍ଦ୍ଦିଷ୍ଟ ଦଳ ଓ ନିର୍ଦ୍ଦିଷ୍ଟ ନେତାମାନଙ୍କ ପାଖରେ କେମିତି ବନ୍ଧା ପଡ଼ିଯାଇଛନ୍ତି ତାର ପ୍ରମାଣ ହେଉଛି ବାଲେଶ୍ବରର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକଙ୍କର ଗୋଟିଏ ବାଇଟ୍‌ ।

ନିର୍ଦ୍ଦିଷ୍ଟ ଦଳ ଓ ନେତାଙ୍କ ବିରୋଧରେ କୌଣସି ଖବର ପ୍ରସାରଣ କରିବା ତ ଦୂରର କଥା, କୌଣସି ଖବର ସଂଗ୍ରହ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି ଓଡ଼ିଶାର ବୈଦ୍ୟୁତିକ ଗଣମାଧ୍ୟମ, ଯାହା ସାମ୍ବାଦିକତାର ଏଥିକାଲ୍ ପ୍ରାକ୍ଟିସ୍‌ର ବିରୋଧୀ ।

ଦୁଇ ଦିନ ତଳେ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ରାଜ୍ୟ ସରକାରଙ୍କୁ ଏକ ପୋଡ଼ା ଟ୍ରାନ୍ସଫର୍ମର ବୋଲି କହିଲେ । ଏହି କଥା ଉପରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଗଣମାଧ୍ୟମ ସାମ୍ନାକୁ ଆସିଲେ ବରିଷ୍ଠ ନେତା ଅରୁଣ ଦେ । ଅମିତ୍‌ ଶାହାଙ୍କ ମନ୍ତବ୍ୟର ବିରୋଧ କରିବା ସହ ତୀବ୍ର ସମାଲୋଚନା ମଧ୍ୟ କଲେ ।

କିନ୍ତୁ ଅରୁଣଙ୍କ କଥା ନ ସରୁଣୁ ନ୍ୟୁଜ୍‌ ଚ୍ୟାନେଲ୍‌ର ପ୍ରତିନିଧିମାନେ ତାଙ୍କ ମୁହଁ ପାଖରୁ ବୁମ୍‌ ଓହରାଇ ଆଣିଲେ । ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ବୋଲାଉଥିବା ଏହି ନ୍ୟୁଜ୍‌ ଚ୍ୟାନେଲ୍‌ଙ୍କର ଏମିତି ବ୍ୟବହାର ଓ କାର୍ଯ୍ୟଧାରା ଯେତିକି ଆଶ୍ଚର୍ଯ୍ୟ ଜନକ ସେତିକି ଦୁର୍ଭାଗ୍ୟ ଜନକ । ଗୋଟିଏ ପଟେ ଏହା ସମ୍ବାଦ ପରିବେଷଣ କରୁଥିବା ସଂସ୍ଥା ମାନଙ୍କର ସ୍ବାର୍ଥ, ପକ୍ଷପାତିତା ପଦାକୁ ଆଣୁଥିବାବେଳେ ଅନ୍ୟପଟେ ଏହା ଅସହାୟତା ମଧ୍ୟ ଦର୍ଶାଉଛି ।

ଫିଲ୍‌ଡରେ କାମ କରୁଥିବା ସାମ୍ବାଦିକଟିଏ ବିଚରା ଏତେ ଅସହାୟ ଯେ ନିର୍ଦ୍ଦିଷ୍ଟ ଦଳ ବା ନେତାଙ୍କ ବିରୋଧରେ କୌଣସି ବୟାନ ବି ନ ନେବାକୁ ସେମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଥିବା ଦର୍ଶାଉଛି ଏହି ଦୃଶ୍ୟ । ଅନେକ ସମୟରେ ନ୍ୟୁଜ୍‌ ଚ୍ୟାନେଲ୍‌ ପକ୍ଷରୁ ବହୁ ବାଇଟ୍‌ ଅଣାଯାଏ କିନ୍ତୁ ସବୁକୁ ପ୍ରସାରଣ କରାଯାଏ ନାହିଁ ।

ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଇଚ୍ଛାରେ ବାଇଟ୍‌ ଆଣିବାକୁ ଯାଇଥିବେ । ଏମିତିରେ ଅରୁଣଙ୍କ ନିର୍ଦ୍ଦିଷ୍ଟ ନେତାଙ୍କ ବିରୋଧୀ ବାଇଟ୍‌ ପ୍ରସାରଣ କରି ନ ଥିଲେ ବି ସମ୍ପୂର୍ଣ୍ଣ କଥା ସରିବା ଯାଏଁ ଅପେକ୍ଷା କରିବାରେ ସମସ୍ୟା କ’ଣ ଥିଲା ? ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ମାନଙ୍କର ଏମିତି କାର୍ଯ୍ୟଶୈଳୀ ରାଜ୍ୟର ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ସୃଷ୍ଟି କରିପାରେ ସଙ୍କଟଜନକ ସ୍ଥିତି ।

Related Posts