ଦୁଇ ଶ୍ରେଷ୍ଠ ଦୁର୍ନୀତିଦାତା, ଜଣେ ଦେଲା ଚିଟଫଣ୍ଡ ଆଉ ଜଣେ ରାଫେଲ୍

ଭବାନୀପାଟଣାରେ ରାହୁଲଙ୍କ ଗର୍ଜନ ‘2 ଦିନରେ ଛାଡ଼ ହେବ କୃଷି ଋଣ, ଗରିବଙ୍କ ଆକାଉଣ୍ଟଙ୍କୁ ଯିବ ଟଙ୍କା’

କଂଗ୍ରେସ କ୍ଷମତାକୁ ଆସିଲେ ମାତ୍ର ଦୁଇ ଦିନ ଭିତରେ କୃଷି ଋଣ ଛାଡ଼ କରାଯିବ । ଏମିତି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଦେଇଛନ୍ତି ଏମିତି ଅନେକ ପ୍ରତିଶ୍ରୁତି ।

ଗରିବଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଡିପୋଜିଟ୍‌ କରିବାରୁ ନେଇ ବେକାରୀଙ୍କୁ ନିଯୁକ୍ତି ଆଦି ପ୍ରସଙ୍ଗରେ କହିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ରାହୁଲ । କହିଲେ ନବୀନ ପଟ୍ଟନାୟକ ଓଡ଼ିଶାକୁ ଚିଟ୍‌ଫଣ୍ଡ ଦୁର୍ନୀତି ଦେଲେ ଓ ନରେନ୍ଦ୍ର ମୋଦି ମୋଦି ଦେଶକୁ ରାଫେଲ ଘୋଟାଲା ଦେଲେ । କିନ୍ତୁ କଂଗ୍ରେସ କ୍ଷମତାକୁ ଆସିଲେ ଗରିବଙ୍କୁ ଦେବ ସର୍ବନିମ୍ନ ଆୟ ।

ଉଭୟ ବିଜେପି ଓ ବିଜେଡି ସରକାର ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ଅଣଦେଖା କରୁଛନ୍ତି । କଂଗ୍ରେସ ସରକାର ହେଲେ ଓଡ଼ିଶାର ସ୍ବତନ୍ତ୍ର ଧ୍ୟାନ ରଖାଯିବ ବୋଲି କହିଛନ୍ତି ରାହୁଲ । କଂଗ୍ରେସ ଅଧ୍ୟକ୍ଷ କହିଲେ, ‘ମୁଁ ଆଜି ରାଜନେତା ଭାବେ ନୁହେଁ ପରିବାରର ସଦସ୍ୟ ଭାବେ ଆସିଛି । ଆପଣମାନଙ୍କ ପାଇଁ ସ୍ବତନ୍ତ୍ର ଧ୍ୟାନ ଜରୁରୀ । ନବୀନ ଓ ବିଜେପି ଆପଣଙ୍କ ଜମି ଛଡ଼ାଇ ନେବାକୁ ଚାହୁଁଛନ୍ତି । ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା କରିବ କଂଗ୍ରେସ । ପ୍ରକଳ୍ପ ନହେଲେ ଆଦିବାସୀଙ୍କୁ ଜମି ଫେରାଇ ଦିଆଯିବ ।

ଦାନ ମାଝୀ ପ୍ରସଙ୍ଗ ଉଠାଇ ରାହୁଲ ନବୀନଙ୍କୁ ସମାଲୋଚନା କଲେ । ଦାନ ମାଝୀଙ୍କ ଖବର ଅନ୍ତର୍ଜାତୀୟ ଖବର ହେଲା କିନ୍ତୁ ମୁଖ୍ୟମନ୍ତ୍ରୀ ପଦଟିଏ ବି କହିଲେନି । ପୁଣି ଥରେ କୃଷକଙ୍କ ଋଣ କଥା ଉଠାଇ ରାହୁଲ କହିଲେ କଂଗ୍ରେସ ସରକାର କୃଷକଙ୍କ ଋଣ ଛାଡ଼ କରିବ । ୧୦ ଦିନ ନୁହେଁ କଂଗ୍ରେସ ସରକାର ୨ଦିନରେ କୃଷକଙ୍କ ଋଣ ଛାଡ଼ କରିବ ।

ଓଡ଼ିଶାରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତିର ବ୍ୟବସ୍ଥା କରାଯିବ । ଓଡ଼ିଶାରେ କେବଳ ଆପଣଙ୍କ ଜମି ଛଡ଼ାଇ ନିଆଯିବ । ଏଭଳି ଓଡ଼ିଶା ଆମକୁ ଦରକାର ନାହିଁ । ଓଡ଼ିଶାର ଆଦିବାସୀ ଓ ଗରିବଙ୍କୁ ଶିକ୍ଷା ମିଳିବା ଉଚିତ ।’

ଅବିଭକ୍ତ କଳାହାଣ୍ଡି, କୋରାପୁଟ ଜିଲ୍ଲା ସମେତ କନ୍ଧମାଳ, ଗଜପତି ଓ ବଲାଙ୍ଗିର ଜିଲ୍ଲାରୁ ହଜାର କର୍ମୀ ରାହୁଲଙ୍କ ସମାବେଶରେ ଯୋଗ ଦେଇଥିଲେ ।

Related Posts