
ଦେଶର ସୁରକ୍ଷା ସମ୍ପର୍କିତ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ଦୁଇ ଜଣ ମୃତ ପାଇଲଟଙ୍କ ସମ୍ପର୍କୀୟ । ଭାରତୀୟ ବାୟୁସେନାର ପାଇଲଟ୍ ମାନଙ୍କୁ ପୁରୁଣା ବିମାନ ଉଡ଼ାଇବାକୁ ବାଧ୍ୟ କରାଯାଉଛି । ଫଳରେ ବାରମ୍ବାର ଫାଇଟର ଦୁର୍ଘଟଣାଗ୍ରସ୍ତ ହେଉଛି । ଏବଂ ଏଥିରେ ପାଇଲଟ୍ଙ୍କର ଅକାରଣରେ ଅକାଳ ବିୟୋଗ ହେଉଛି । ଏମିତି ସଂଗୀନ ଅଭିଯୋଗ ଆଣିଛନ୍ତି ଗତ ଶୁକ୍ରବାର ବେଙ୍ଗାଲୁରୁ ଠାରେ ମିରେଜ୍-୨୦୦୦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣ ଟେଷ୍ଟ୍ ପାଇଲଟ୍ଙ୍କ ପରିବାର ଲୋକେ ।
ବାୟୁସେନା ଏବେ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି । ଦେଶରେ ରାଜନୈତିକ-ଅମଲାତାନ୍ତ୍ରିକ ଉଦାସୀନତା ଓ ଦାୟିତ୍ୱହୀନତା କାରଣରୁ ବାୟୁସେନା ପୁରୁଣା ବିମାନ ଉଡ଼ାଇବାକୁ ବାଧ୍ୟ ହେଉଛି ବୋଲି ଅଭିଯୋଗ କରିଛନ୍ତି ପାଇଲଟ୍ଙ୍କ ପରିବାରବର୍ଗ ।
ସ୍କ୍ଵାଡର୍ଣ୍ଣ ଲିଡର୍ ସମୀର ‘ବ୍ୟାଟ୍ମ୍ୟାନ୍’ ଆବ୍ରୋଲ୍ଙ୍କ ସାନଭାଇ ସୁଶାନ୍ତଙ୍କ ରଚିତ ଓ ସମୀରଙ୍କ ପତ୍ନୀ ଗରିମା ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଥିବା ଏକ କବିତାରୁ ତାଙ୍କ ପରିବାର, ବନ୍ଧୁ ଓ ସହକର୍ମୀଙ୍କ ଅସନ୍ତୋଷ ଏବଂ ଦୁଃଖ ସ୍ପଷ୍ଟ ଜଣାପଡ଼ିଛି । ଦୁର୍ଘଟଣା ଫଳରେ ଭାରତୀୟ ସଶସ୍ତ୍ରବାହିନୀରେ ୨୦୧୫-୧୬ରୁ ଏ ଯାଏଁ ୩୫ରୁ ଅଧିକ ବିମାନ ଓ ହେଲିକପ୍ଟର୍ ହରାଇ ସାରିଲାଣି ।
ଏଥିଯୋଗୁଁ ୪୫ ଜଣଙ୍କର ମୃତ୍ୟୁ ହୋଇଛି । ୨୦୧୧ରୁ ହିସାବ କଲେ ଭାରତୀୟ ବାୟୁସେନା, ସେନା ଓ ନୌସେନାର ୭୫ଟି ବିମାନ ଓ ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୋଟ ୮୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।