ଓଡ଼ିଶାର ମୁଖ୍ୟମନ୍ତ୍ରୀ ବଛିବେ ରାଜନାଥ ଓ ଭୂପେନ୍ଦ୍ର

ଭୁବନେଶ୍ୱର,୧୦/୬(ସତ୍ୟପାଠ ବ୍ୟୁରୋ): କାଲି ମୋଦୀ ସରକାରର ତୃତୀୟ ପାଳିର ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛନ୍ତି। ଏବେ ଅପେକ୍ଷା କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଏଥିପାଇଁ ଦଳ ଦୁଇ ନେତାଙ୍କୁ ଦାୟିତ୍ବ ଦେଇଛି। କ୍ୟାବିନେଟ ମନ୍ତ୍ରୀ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ବାଛିବା ପାଇଁ କହିଛି। ଏଥିପାଇଁ ଉଭୟଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏହି ସୂଚନା ଦେଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ସେ ଏବେ ମୁଖ୍ୟମନ୍ତ୍ରୀ ରେସରୁ ହଟିଯାଇଛନ୍ତି। ତେଣୁ ଏବେ ସୁରେଶ ପୂଜାରୀଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ରହିଛି।

ନବ ନିର୍ବାଚିତ ବିଜେପି ସରକାରର ନୂଆ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପରିବର୍ତ୍ତନ ହୋଇଛି। ୨୦୨୪ ଜୁନ୍ ୧୦ ପରିବର୍ତ୍ତେ ଜୁନ୍ ୧୨ରେ ଏହି ବହୁପ୍ରୀତିକ୍ଷିତ ଶପଥ ସମାରୋହ ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ ଜୁନ୍ ୧୦ତାରିଖରେ ହେବାକୁ ଥିବା ବିଜେପି ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ଜୁନ୍ ୧୧ତାରିଖରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।

କୁହାଯାଉଛି ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ଦୁଇ ଦିନ ପରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଜେପି ମୁଖପାତ୍ର ଯତୀନ ମହାନ୍ତି ସୂଚନା ଦେଇଛନ୍ତି।

Related Posts