(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଶନିବାର ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ସହର ଯୋଜନା ଅଭିବୃଦ୍ଧି ନ୍ୟାସ ସଂଶୋଧନ ବିଲ୍। ବିରୋଧୀଙ୍କ ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ଗତ କାଲି ଗୃହରେ ୩ଟି ବିଲ୍ ପାରିତ ହୋଇଛି। ଏହା ଦ୍ୱାରା ଛୋଟଛୋଟ କୋଠାବାଡ଼ି ଗୁଡ଼ିକର ଅନୁମୋଦନ ପ୍ରକ୍ରିୟାଗୁଡ଼ିକ ପୂର୍ବ ତୁଳନାରେ କୋହଳ ହୋଇପାରିବ ବୋଲି ଆଶା କରାଯାଉଛି । ରାଜ୍ୟ ସରକାରଙ୍କ ନିମନ୍ତେ ଅଧିନିୟମ ସଂଶୋଧନ ଓ ସମୟପଯୋଗୀ ନିୟମାନ ପ୍ରଣୟନ କରିବାର ପ୍ରାବଧାନ ଏହି ବିଲ୍‌ରେ ରହିଛି।
ରାଜ୍ୟର ସମସ୍ତ ସହରାଂଚଳ ଗୁଡ଼ିକରେ ଅତ୍ୟାଧୁନିକ ଅନଲାଇନ ବିଲିଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥାର ପ୍ରଚଳନ କରାଯିବା ସଙ୍ଗେ ସଙ୍ଗେ ୭୪ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମକୁ ଭିତ୍ତି କରି ସମସ୍ତ ପୌର ସଂସ୍ଥାଗୁଡ଼ିକୁ ସହର ଯୋଜନା କାର୍ଯ୍ୟର ହସ୍ତାନ୍ତରୀକରଣ କରାଯିବ।

ଏହି ବିଲ୍ ର ଉଦ୍ଦେଶ୍ୟ ହେଉଛି ଯେ ଅନଧିକୃତ ନିର୍ମାଣଜନିତ ନିୟମ ଉଲ୍ଲଘଂନ କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ଦଣ୍ଡବ୍ୟବସ୍ଥା ପ୍ରଣୟନ କରି ଉନ୍ନତ କାର୍ଯ୍ୟକାରିତା ପ୍ରଣାଳୀ ସୁନିଶ୍ଚିତ କରାଯିବାର ପ୍ରାବଧାନ ରହିଛି।

ଅନ୍ୟ ବିଲ୍ ଗୁଡିକ ମଧ୍ୟରେ ଓଡ଼ିଶା ବିନିଯୋଗ ଅଧିନିୟମ (ନିରସନ) ବିଲ୍ ଶନିବାର ଦିନ ବିଧାନସଭାରେ ପାରିତ ହୋଇଛି। ଓଡ଼ିଶା ବିନିଯୋଗ ଅଧିନିୟମ ୧୯୫୦ ରୁ ୨୦୧୧ ପର୍ଯ୍ୟନ୍ତ ଅଧିନିୟମିତ ହୋଇଥିବାଗୁଡ଼ିକର ଏହି ନିରସନ ବିଲରେ ସ୍ଥାନ ପାଇଛି।

ଏବଂ ଏଥିପାଇଁ ଓଡ଼ିଶା ବିଧି ଆୟୋଗ ୨୦୨୦ ସେପ୍ଟେମ୍ବର ୨୪ତାରିଖରେ ତାଙ୍କ ରିପୋର୍ଟରେ ସୁପାରିସ କରିଥିଲେ। ଏହି ଆଇନଗୁଡ଼ିକ ନିରସନ କରିବାର କାରଣ ହେଉଛି ଏହି ଆଇନଗୁଡ଼ିକ ଅକାମି ଅବା ଅପ୍ରସାଙ୍ଗିକ ହୋଇପଡ଼ିଛି।

ଏତଦ୍ ବ୍ୟତୀତ ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟ ଗବେଷଣା ବିଲ୍ ମଧ୍ୟ ବିଧାନସଭାରେ ପାରିତ ହୋଇଛି। ବିଧାନସଭାରେ ଗୁରୁବାର ୩ଟି ବିଲ୍ ପାରିତ ହୋଇଥିବାବେଳେ ଶନିବାର ୩ଟି ବିଲ୍ ପାରିତ ହୋଇଛି। ବର୍ତ୍ତମାନ ସୁଦ୍ଧା ବିଧାନସଭାରେ ଅନୁମୋଦନ ପାଇଁ ୧୨ଟି ବିଲ୍ ବିଧାନସଭା ସଚିବାଳୟକୁ ଆସିଥିବା ଜଣାପଡ଼ିଛି ।