
ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ରାଜ୍ୟ ପୋଲିସ୍ର ମୁଖିଆ ଭାବେ ଦାୟିତ୍ବ ତୁଲାଉଥିବା ଭାରପ୍ରାପ୍ତ ଡିଜି ବି. କେ ଶର୍ମାଙ୍କୁ ପଦରୁ ହଟାଇଛନ୍ତି ସରକାର । ତାଙ୍କ ସ୍ଥାନରେ ଅଭୟଙ୍କୁ ନୂଆ ପୋଲିସ ଡିଜି ଭାବେ ନିଯୁକ୍ତି ଦିଆଯାଇଛି । ୧୯୮୬ ବ୍ୟାଚ୍ର ଆଇପିଏସ୍ ଅଭୟ ଏବେ ହାଇଦ୍ରାବାଦ୍ ସ୍ଥିତ ନ୍ୟାସନାଲ ପୋଲିସ୍ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ଜେଲ୍ ବିଭାଗର ଡିଜି ଥିବା ସତ୍ୟଜିତ ମହାନ୍ତି ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ ଦାୟିତ୍ବ ନେଇଛନ୍ତି । ସତ୍ୟଜିତ୍ ମହାନ୍ତିଙ୍କୁ ଗୁଇନ୍ଦା ନିର୍ଦେଶକ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି । ବି. କେ ଶର୍ମାଙ୍କୁ ଅଗ୍ନିଶମ ଡିଜିରୁ ଗୃହ ବିଭାଗର ଓଏସ୍ଡି ଭାବେ ବଦଳି କରାଯାଇଛି । ଏଥିସହ ସରକାରଙ୍କ ସ୍କାନର ଭିତରକୁ ବି ଆସିଛନ୍ତି ବି. କେ ଶର୍ମା । ବି.କେଙ୍କ ନାଁରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । କମିଟିରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ଓ ଗୃହ ସଚିବ ଅଛନ୍ତି । ଅଗ୍ନିଶମ ବିଭାଗରେ ଦୀର୍ଘ ଦିନ ଧରି ଫାଇଲ୍ ପଡ଼ି ରହୁଥିଲା । ବି.କେ. ଶର୍ମାଙ୍କ ବିରୋଧରେ ଏକାଧିକ କମ୍ପାନି ଏବଂ ମଲ୍ଗୁଡ଼ିକୁ ଅଗ୍ନି ପିରାପତ୍ତା ସାର୍ଟିଫିକେଟ ନଦେଇ ଦୀର୍ଘ ଦିନ ଯାଏ ଅଟକାଇ ରଖିଥିବା ଅଭିଯୋଗ ରହିଛି ।
ଏଠି ପ୍ରଶ୍ନ ଉଠୁଛି, ବି.କେ. ଶର୍ମାଙ୍କୁ ରାତି ଅଧିଆ ବଦଳି କରାଗଲା କାହିଁକି ? ବି.କେଙ୍କ ବିରୋଧରେ ଅଭିଯୋଗ କରିଥିବା କମ୍ପାନି ବା ମଲ୍ଗୁଡ଼ିକ କିଏ ? କୁହାଯାଉଛି ବଡ଼ ବଡ଼ ବ୍ୟବସାୟିକ ସଂସ୍ଥା, ହସ୍ପିଟାଲ, ବଡ଼ ବଡ଼ ସପିଂ ମଲଗୁଡ଼ିକର ଫାୟାର ସେଫ୍ଯି ସାର୍ଟିଫିକେଟ ଅଟକାଇ ରଖିଲେ ବି.କେ. ଶର୍ମା । ତେବେ ବି.କେ ଶର୍ମାଙ୍କୁ ହଟାଇବାକୁ ଏମାନଙ୍କ ମଧ୍ୟରୁ କାହାର ଚାପ ପଡ଼ିଲା ? ବାସ୍ତବରେ ଉକ୍ତ କମ୍ପାନିଗୁଡ଼ିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିଥିଲେ ବି ତାଙ୍କୁ ଜାଣି ଜାଣି ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଦିଆଯାଉନଥିଲା ? ନା ଅଗ୍ନି ନିରାପତ୍ତା ବ୍ୟବସ୍ଥା ନକରି ସାର୍ଟିଫିକେଟ ହାସଲ କରିବାକୁ ଚାହୁଁଥିଲେ, ବି.କେ ଶର୍ମା ତାଙ୍କୁ ସାର୍ଟିଫିକେଟ ଦେଇନଥିଲେ ?
ସେଥିପାଇଁ ତାଙ୍କୁ ଡିଜି ପଦରୁ ହଟାଗଲା ? କିଏ ସେହି କମ୍ପାନି ଯାହାର ଚାପ ଏତେ ହେଲା ଯେ ସରକାର ବି.କେଙ୍କୁ ଡିଜିପି ପଦରୁ ହଟାଇଲେ ?
କୁହାଯାଉଛି ଯେ ତୃତୀୟ ମହଲା ସହ ବି.କେ ଶର୍ମାଙ୍କର ପଡ଼ିଲାନି ତେଣୁ ତାଙ୍କୁ ହଟାଗଲା । ବି.କେ ଏଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଥିଲେ କି ଯାହା ଦ୍ବାରା ସରକାର ଅଡ଼ୁଆରେ ପଡ଼ିଥାନ୍ତେ ?
ଯଦି କୌଣସି କମ୍ପାନି ଚାପରେ ଏଭଳି କରାଯାଇଥିାଏ ଉକ୍ତ କମ୍ପାନି ବା ଲୋକ ସରକାରଙ୍କ ଅତି ଖାସ୍ ଲୋକ ହୋଇଥିବେ ବୋଲି ଚର୍ଚ୍ଚା ହେଉଛି ।