ସରକାରଙ୍କୁ ଚାଷୀ ଭୟ, ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ୍‌

ଚାଷୀ ଆନ୍ଦୋଳନକୁ ନେଇ ନାକେଦମ୍ ସରକାର । ପ୍ରାଇସ-ପ୍ରେଷ୍ଟିଜ-ପେନସନ ଦାବିରେ ରାଜଧାନୀ ଅଭିମୁଖେ ଭୁବନେଶ୍ବର ଅଭିମୁଖେ ଆସୁଥିବା ଚାଷୀଙ୍କୁ ରାତି ଅଧିଆ ଅଟକାଇଲା ପୋଲିସ । ପୋଲିସ ହେପାଜତରୁ ଖସି ଆସି ରାଜଧାନୀରେ ପ୍ରତିବାଦ କଲେ ନବନିର୍ମାଣ ସଂଗଠନ କର୍ମକର୍ତ୍ତା । ସେପଟେ ଭୁବନେଶ୍ବରକୁ ଆସି ନ ପାରି ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜଗସିଂହପୁରରେ ରାସ୍ତାରୋକ କରିଥିଲେ ଚାଷୀ ।

ସରକାରଙ୍କୁ ଘାରିଲାଣି ଚାଷୀଙ୍କ ଡର । ରାଜଧାନୀରେ ଚାଷୀ ସମାବେଶ କରାଇ ଦେଲାନି ପୋଲିସ ପ୍ରଶାସନ । ପ୍ରାଇସ୍ – ପ୍ରେଷ୍ଟିଜ୍- ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ପ୍ରତିବାଦ ସମାବେଶକୁ ଭଣ୍ଡୁର କରିଦେଲା । ବୁଧବାର ହଜାର ହଜାର ସଂଖ୍ୟାରେ ଚାଷୀ ରାଜଧାନୀକୁ ଆସି ବିକ୍ଷୋଭ କରିଥାନ୍ତେ । କିନ୍ତୁ ଚାରିପଟୁ ଆସୁଥିବା ଆନ୍ଦୋଳନକାରୀଙ୍କୁ ଅଧାରୁ ଉଠାଇ ନେଲା ପୋଲିସ । ତଥାପି ଭୁବନେଶ୍ବର ଉପକଣ୍ଠରେ ପୋଲିସ କବଳରୁ ଖସି ଆସି ରାଜରାସ୍ତାରେ କରିଥିଲେ ପ୍ରତିବାଦ ଚାଷୀ ।

କଟକରେ ରେଳବାଇ କଲ୍ୟାଣ ମଣ୍ଡପରେ ମଙ୍ଗଳବାର ରାତି ତମାମ ଚାଷୀଙ୍କୁ ଅଟକ ରଖିଥିଲା ପୋଲିସ । ଭୁବନେଶ୍ବର ସମାବେଶରେ ଯୋଗ ଦେବାକୁ ବଡ଼ବିଲ-ପୁରୀ ଟ୍ରେନ୍‌ରେ ଆସୁଥିବା ଚାଷୀମାନଙ୍କୁ ଯଖପୁରାଠାରେ ଜୋରଜବରଦସ୍ତ ଓଲ୍ଲାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

ଏହାର ପ୍ରତିବାଦରେ କଟକ ଷ୍ଟେସନରେ ଧାରଣା ଦେଇଥିଲା ଚାଷୀ । ସେହିପରି ଖୋର୍ଦ୍ଧା ପିତାପଲ୍ଲୀ ଛକରେ ମଧ୍ୟ ଶହ ଶହ ଚାଷୀଙ୍କୁ ପୋଲିସ ଅଟକାଇଥିଲା । କଟକ ଜିଲ୍ଲା ବଡ଼ମ୍ବାରେ ମୁହାମୁହିଁ ହୋଇଥିଲେ ଚାଷୀ-ପୋଲିସ । ରାଜପଥ ଅବରୋଧ କରିଥିଲେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ। ।

ପୋଲିସ କହିଛି, ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ବିଭିନ୍ନ ସ୍ଥାନରେ ଚାଷୀମାନଙ୍କୁ ଅଟକାଇ ରଖାଯାଇଥିଲା । ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଥିଲେ ଚାଷୀ । ଭୁବନେଶ୍ବର ସମାବେଶ ବାଟରେ ପୋଲିସ ବାଧା ଦେବାରୁ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡୀଖୋଲ, ବଡ଼ଚଣା, ରଥିଆ, ଛତିଆରେ ରାସ୍ତାରେ ଦେଇଥିଲେ ଧାରଣା । ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କୁ ଚଣ୍ଡୀଖୋଲ ଧାରଣାସ୍ଥଳରୁ ଉଠାଇ ନେଇଥିଲା ପୋଲିସ ।

Related Posts