ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଆଜି ଓଡିଶା ବନ୍ଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ୧୨ଘଂଟିଆ ଓଡିଶା ବନ୍ଦ । ତେବେ ନବନିର୍ମାଣ କୃଷକ ଓ ଯୁବ ଛାତ୍ର ସଂଗଠନର ବନ୍ଦ ପାଳନ । ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ୍ । ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଏହାକୁ ସମର୍ଥନ ଜଣାଇଛି କଂଗ୍ରେସ । ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବା ସହ ରାସ୍ତା ରୋକ, ରେଳ ଚଳାଚଳ ବନ୍ଦ କରିବା ଆଶଙ୍କା ଥିବାରୁ ସବୁ ବିଭାଗକୁ ଚିଠି ଲେଖିଛନ୍ତି ସରକାର । ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି । ସରକାରୀ ଅଫିସ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଆଗରେ ବିକ୍ଷୋଭ ଓ ପିକେଟିଂ କରିବା ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କୁହାଯାଇଛି । ଲୋକସେବା ଭବନର ମୁଖ୍ୟ ଫାଟକ ସକାଳ ୧୦ଟା ୧୫ରେ ବନ୍ଦ କରାଯିବ । ଯିବା-ଆସିବା ପଛ ଦ୍ୱାରରେ ନିୟନ୍ତ୍ରଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଲୋକସେବା ଭବନରେ ପରିଚୟ ପତ୍ର ଓ ପାସ୍ କଡ଼ାକଡ଼ି ଭାବେ ଯାଂଚ କରାଯିବ । ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନ୍ୟାୟ ଦାବି କରି ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ସମେତ କିଛି ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସୁଇସାଇଡ୍ ନୋଟରେ ରୁଚିକା, ତିନି ଜଣ ସିନିୟର ନିର୍ଯାତନା ଦେଉଥିବା କଥା ଲେଖିଥିଲେ । ତେବେ ପ୍ରାଥମିକ ତଦନ୍ତ ପରେ ର୍ୟାଗିଂ ସଂପର୍କରେ କୌଣସି ସୁରାକ୍ ମିଳିନଥିବା କହିଥିଲା କମିସନରେଟ୍ ପୁଲିସ ।ସେପଟେ ରୁଚିକାଙ୍କ ଗାଁ ଆଠଗଡ଼ କଖଡ଼ିରେ ପ୍ରତିବାଦ କରାଯାଇଛି । କଟକ-ସମ୍ବଲପୁର ୬୫ ନମ୍ବର ରାଜ୍ୟ ରାଜପଥର କଖଡ଼ି ଛକ ଠାରେ ସ୍ଥାନୀୟ ଲୋକେ ପ୍ରତିବାଦ କରିଛନ୍ତି । ରାଜରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଆନ୍ଦୋଳନକାରୀ । ଏହା ଦ୍ୱାରା ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଦୋକାନ ବଜାର ବନ୍ଦ ରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts