ଜଳୁଛି ଓଡିଶା: ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାର ତାପମାତ୍ରା ୪୧ ଡିଗ୍ରୀ ଉପରେ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆକାଶରୁ ଝରୁଛି ନିଆଁ | ସୂର୍ଯ୍ୟଙ୍କ ପ୍ରଚଣ୍ଡ ପ୍ରକୋପ ସାଙ୍ଗକୁ ଝାଞ୍ଜିମାଡ଼ ଅସ୍ତବ୍ୟସ୍ତ ରାଜ୍ୟବାସୀ | ଘର, ଦ୍ବାର, କାନ୍ଥ, ବାଡ଼ ସବୁ ତାତି ଯାଉଛି। ନା ବାହାରକୁ ଯାଇ ହେଉଛି ନା ଘରେ ଶାନ୍ତିରେ ଟିକିଏ ଶୋଇ ହେଉଛି, ଫ୍ୟାନ୍‌ ପବନରୁ ବି ତତଲା ହାୱା ବାହାରୁଛି । ଆଉ ଦୁର୍ଭାଗ୍ୟକୁ ଯଦି ଏହି ସମୟରେ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଗଲା, ତେବେ କଥା ସରିଲା । ଯାତନା ଖାଲି ସେତିକିରେ ସରୁନି, ସୂର୍ଯ୍ୟ ଅସ୍ତ ହେବା ପରେ ମଧ୍ୟ ସଂଧ୍ୟା ସାଢ଼େ ୭ଟା,୮ଟା ପର୍ଯ୍ୟନ୍ତ ତତଲା ପବନ ପ୍ରବାହ ଜାରି ରହୁଛି। ଗତ କିଛି ଦିନ ହେଲା ପଶ୍ଚିମ ଓଡ଼ିଶାବାସୀ ଏମିତି କଲବଲ ହେଉଛନ୍ତି ।

ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା । ୪୧.୬ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନର ରେକର୍ଡ ଅକ୍ଷୁଣ୍ଣ ରଖିଥିବା ବେଳେ ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୫ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ସମ୍ବଲପୁରରେ ୪୧.୧ ଡିଗ୍ରୀ, ସୋନ୍‌ପୁରରେ ୪୧ ଡିଗ୍ରୀ, ଭବାନୀପାଟଣାରେ ୪୦.୨ ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ପାଗ ଏହିଭଳି ରହିବ । ଏଥିସହ ଆଭ୍ୟନ୍ତର ଓଡ଼ିଶାର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ପାଖାପାଖି ରହିବ ।

Related Posts