ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): ପାରଦ ଖସିବା ସହିତ ଅସହ୍ୟ ଜାଡରେ ଥରୁଛି ଓଡ଼ିଶା। ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୪ଟି ସ୍ଥାନ। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩.୭ ଡିଗ୍ରୀ ରେକର୍ଡ ହୋଇଛି। ଅସମ୍ଭାଳ ଜାଡ଼ ସମସ୍ତଙ୍କୁ ନାକେଦମ୍ କରିଛି। ହିମାଳୟରୁ ଥଣ୍ଡା ପବନ ଉତ୍ତର ଭାରତ ଆସୁଛି। ସେଥିପାଇଁ ଉତ୍ତର ଭାରତର ସ୍ଥିତି ଅସହ୍ୟ ହେଲାଣି।ପ୍ରଚଣ୍ଡ ଶୀତ ଯୋଗୁଁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ରାତିରେ ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କିରେଇରେ ୪.୩ ଡିଗ୍ରୀ, ଫୁଲବାଣୀରେ ୪.୯ ଡିଗ୍ରୀ, ଜି.ଉଦୟଗିରିରେ ୫.୦ ଡିଗ୍ରୀ, କୋରାପୁଟରେ ୬.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୭.୦ ଡିଗ୍ରୀ, ଭବାନୀପାଟଣାରେ ୭.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ, ଢେଙ୍କାନାଳରେ ୭.୫ ଡିଗ୍ରୀ, ଝାରସୁଗୁଡ଼ାରେ ୭.୮ ଡିଗ୍ରୀ, କେନ୍ଦୁଝରରେ ୮.୪ ଡିଗ୍ରୀ, ବଲାଙ୍ଗୀରରେ ୮.୮ ଡିଗ୍ରୀ, ସୋନପୁରରେ ୯.୧ ଡିଗ୍ରୀ, ମହୀଷାପଟରେ ୯.୮ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୧୦ ତାରିଖ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।