ଅଧାରୁ ପାଠ ଛାଡିବାରେ ଓଡିଶା ସମଗ୍ର ଦେଶରେ ପ୍ରଥମ

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ଗତ ମାଟ୍ରିକ ପରୀକ୍ଷା ସମୟରେ ରାଜ୍ୟର ପ୍ରାୟ ୧୩ ହଜାର ପିଲା ପରୀକ୍ଷା ଦେଇନଥିବାବେଳେ ଏମାନଙ୍କ ଅନୁପସ୍ଥିତ ସଂକ୍ରାନ୍ତରେ ସେଭଳି କିଛି ଠୋସ ସୂଚନା ଏଯାଏଁ ମିଳିଲା ନାହିଁ । ତେବେ ହାଇସ୍କୁଲ ସ୍ତରରେ ଅଧାରୁ ପାଠ ଛାଡିବା କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ରହିଥିବା ଜଣାଯାଇଛି ।

ଅଧାରୁ ପାଠ ପଢା ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂକ୍ରାନ୍ତରେ କେନ୍ଦ୍ର ଶିକ୍ଷା ବିଭାଗର ଏକ ସୂଚନାରୁ ଜଣାଯାଇଛି ଯେ, ୨୦୨୧-୨୨ ବର୍ଷରେ ରାଜ୍ୟରେ ହାଇସ୍କୁଲ ସ୍ତରରେ ୨୭.୩ ପ୍ରତିଶତ ପିଲା ଅଧାରୁ ପାଠ ଛାଡି ଦେଇଛନ୍ତି । ଏହି ସଂଖ୍ୟା ଦେଶରେ ସର୍ବାଧିକ । କେବଳ ଦେଶରେ ସର୍ବାଧିକ ନୁହେଁ ଲଗାତାର ଦୁଇବର୍ଷ ଧରି ଏହି ହାର ବଢି ବଢି ଚାଲିଛି । ୨୦୨୦-୨୧ ବର୍ଷରେ ରାଜ୍ୟରେ ହାଇସ୍କୁଲ ସ୍ତରରେ ପ୍ରାୟ ୧୬ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିବାବେଳେ ଗୋଟିଏ ବର୍ଷରେ ତାହା ୧୧ ପ୍ରତିଶତ ବୃଦ୍ଧି ପାଇଛି ।

୨୦୨୧-୨୨ ବର୍ଷରେ ହାଇସ୍କୁଲ ସ୍ତରରେ ମୋଟ୍‍ ୨୭.୩ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିବାବେଳେ ଏମାନଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ସର୍ବାଧିକ ୨୯.୨ ପ୍ରତିଶତ ଥିବାବେଳେ ଝିଅଙ୍କ ସଂଖ୍ୟା ୨୫.୨ ପ୍ରତିଶତ ରହିଛି । ତେବେ ରାଜ୍ୟରେ ଏହିବର୍ଷ ଉଚ୍ଚ ପ୍ରାଥମିକ ସ୍ତରରେ ୭.୩ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିବାବେଳେ ସେମାନଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ସର୍ବାଧିକ ୮ ପ୍ରତିଶତ ରହିଛି ।

ତେବେ ଆଶ୍ୱାସନାର ବିଷୟ ହେଉଛି ଯେ ପ୍ରାଥମିକ ସ୍ତରରେ ଯେତିକି ପିଲା ଓଡିଶାର ବିଦ୍ୟାଳୟରେ ଭର୍ତ୍ତି ହେଉଛନ୍ତି ସେମାନଙ୍କ ମଧ୍ୟରୁ କେହି ଅଧାରୁ ପାଠ ଛାଡୁଥିବା ସରକାରୀ ରେକର୍ଡରେ ନାହିଁ । ଏ କ୍ଷେତ୍ରରେ ମଣିପୁର, ମେଘାଳୟ, ପଶ୍ଚିମବଙ୍ଗ ଭଳି ରାଜ୍ୟ ଢେର ଆଗରେ ରହିଛନ୍ତି ।

ତେବେ ରାଜ୍ୟର ଛାତ୍ରଛାତ୍ରୀମାନେ ଯେତେ ଯେତେ ଶ୍ରେଣୀ ଉପରକୁ ଉଠୁଛନ୍ତି ସେତେ ଅଧିକ ପରିମାଣରେ ଅଧାରୁ ପାଠ ଛାଡି ଦେଉଛନ୍ତି । ଜାତୀୟ ସ୍ତରରେ ୧୨.୬ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଥିବାବେଳେ ଆମ ରାଜ୍ୟରେ ଏହା ଦୁଇ ଗୁଣରୁ ଅଧିକ ରହିଛି । ସେହିଭଳି ହାଇସ୍କୁଲରେ ପଢୁଥିବା ପିଲାଙ୍କ ମଧ୍ୟରେ ୧୩ ପ୍ରତିଶତ ପୁଅ ଓ ୧୨.୩ ପ୍ରତିଶତ ଝିଅ ଅଧାରୁ ପାଠ ଛାଡୁଥିବା ଜଣାଯାଇଛି ।

ସରକାରୀ ସ୍ତରରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପୋଷାକ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଓ ମାଗଣା ପୁସ୍ତକ ଯୋଗାଇ ଦିଆଯାଉଥିବାବେଳେ ନବମ ଓ ଦଶମ ଶ୍ରେଣୀରେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ଅନେକ ମାଗଣା ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏହାବାଦ୍‍ ମାଟ୍ରିକ ପରୀକ୍ଷାକୁ ଭୟକରି ହେଉ କିମ୍ବା ରୋଜଗାର ଆଶାରେ ଅନେକ ପୁଅ ବି ଅଧାରୁ ପାଠ ଛାଡି ଦେଉଛନ୍ତି ।

ତେବେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡି ଦେଉଥିବା ଏହି ପିଲାମାନେ ପରବର୍ତ୍ତୀ ସମୟରେ କ’ଣ କରୁଛନ୍ତି ତାହାର ସଠିକ ହିସାବ କାହା ପାଖରେ ନାହିଁ । ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସ୍ୱେବୀମାନେ ମଧ୍ୟ ଏହାର ସଠିକ ହିସାବ ରଖୁ ନାହାନ୍ତି । ତେବେ କେତେକ ସୂଚନା ଅନୁଯାୟୀ ଅଧାରୁ ପାଠ ଛାଡୁଥିବା ବହୁ ଯୁବକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ପଳାଉଥିବାରୁ ସେମାନଙ୍କ ସଂକ୍ରାନ୍ତରେ ସୂଚନା ସଂଗ୍ରହ ସହଜ ହେଉନାହିଁ ।

ହେଲେ ଅଧାରୁ ପାଠ ଛାଡିବା ତାଲିକାର ଶୀର୍ଷରେ ଥିବା ଆସାମ ଗୋଟିଏ ବର୍ଷରେ ୩୦.୩ ପ୍ରତିଶତରୁ ୨୦.୩ ପ୍ରତିଶତକୁ ଖସିଥିବାବେଳେ ଓଡିଶା କିନ୍ତୁ ଏହି ସମୟରେ ୧୦ ପ୍ରତିଶତ ବଢି ଦେଶର ଏକ ନମ୍ବର ସ୍ଥାନରେ ପହଞ୍ଚିବା ଆମର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related Posts