
ଭୁବନେଶ୍ୱର,୨୫/୫(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ତଥା ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଂଜନ ଚୌଧୁରୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ପାଗଳ ମୋଦୀ’ କହି ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଅଧୀର କହିଛନ୍ତି, ପୁଣିଥରେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ହଠାତ ପ୍ରଧାନମନ୍ତ୍ରୀ ମୋଦୀ ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ କରିଦେଲେ। ସେ ମୋଦୀ ନୁହନ୍ତି। ସେ ହେଉଛନ୍ତି ପାଗଳ ମୋଦୀ। ଏହି ନିଷ୍ପତ୍ତି ପାଇଁ ଲୋକମାନେ ତାଙ୍କୁ ପାଗଳ ମୋଦୀ ବୋଲି କହୁଥିବା ଅଧୀର କହିଛନ୍ତି।
ତେବେ ତାଙ୍କର ଏହି ଟିପ୍ପଣୀକୁ ନେଇ ବିବାଦ ହୋଇଛି। ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଅଧୀର ରଂଜନଙ୍କୁ ଜଣେ ଅଭ୍ୟାସଗତ ଅବମାନନାକାରୀ କହିଛନ୍ତି । ସୁକାନ୍ତ କହିଛନ୍ତି, ଏଭଳି ଟିପ୍ପଣୀକୁ ମୁଁ କଡ଼ା ନିନ୍ଦା କରୁଛି। ସେ ତୁରନ୍ତ କ୍ଷମା ମାଗିବା ଉଚିତ।
ତେବେ ବିବାଦ ହେବାପରେ ଅଧୀର ପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସେ ଜନସାଧାରଣଙ୍କ ଭାବନାକୁ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ସରକାର ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ କରିବାପରେ ଲୋକମାନେ କିଭଳି ପ୍ରତିକ୍ରିୟା ରଖିଛନ୍ତି ତାହା ହିଁ ମୁଁ କହିଛି। ଏହା ଲୋକଙ୍କର କଥା। ଅନ୍ୟପକ୍ଷେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବୈଠକ ସଂକ୍ରାନ୍ତରେ ଅଧୀର କହିଛନ୍ତି, ଆପ୍ ଏବଂ ଟିଏମ୍ସିର ମୁଖ୍ୟ ଲକ୍ଷ୍ୟ ହେଉଛି କଂଗ୍ରେସକୁ ଶେଷ କରିଦେବା।