ନୂଆଦିଲ୍ଲୀ : ୨୦୧୪ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଥିବା ସାଂସଦ ଆଦର୍ଶ ଗ୍ରାମ ଯୋଜନା (ଏସ୍‌ଏଜିୱାଇ)ରେ ଓଡ଼ିଶାର ପ୍ରଦର୍ଶନ ନୈରାଶଜନକ । ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ପଡ଼ିଛି ଓଡ଼ିଶା । ଯୋଜନାର ଲକ୍ଷ୍ୟ ଥିଲା ୨୦୨୪ ସୁଦ୍ଧା ପ୍ରତ୍ୟେକ ସାଂସଦ ଆଠଟି ଲେଖାଏଁ ଗ‌ାଁ’କୁ ପୌଷ୍ୟ ଭାବେ ଗ୍ରହଣ କରିବେ।

ଏବେ ଏହି ଯୋଜନାର ଅଷ୍ଟମ ପର୍ଯ୍ୟାୟ ଜାରିରହିଛି। ତେବେ ୨୦୨୨ ସେପ୍ଟେମ୍ବର ୨୫ ସୁଦ୍ଧା ଓଡ଼ିଶାର ସାଂସଦମାନେ ମାତ୍ର ୮୪ ଗାଁକୁ ଏହି ଯୋଜନାରେ ଚିହ୍ନଟ କରିଛନ୍ତି। ସେଥି ମଧ୍ୟରୁ ୫୫ଟି ଗାଁ’ ପାଇଁ ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ସବୁ ଗ୍ରାମ ପାଇଁ ମୋଟ ୧୭୮୧ଟି ପ୍ରକଳ୍ପର ତାଲିକା କରାଯାଇଛି। ସେଥି ମଧ୍ୟରୁ ୭୭୦ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିବା ବେଳେ ୭୮୨ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ଓଡ଼ିଶାରୁ ଲୋକସଭାରେ ୨୧ ଓ ରାଜ୍ୟସଭାରେ ୧୦ ସାଂସଦ ପ୍ରତିନିଧିତ୍ବ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୯ ଲୋକସଭା ସାଂସଦ ଓ ୯ ଜଣ ରାଜ୍ୟସଭା ସାଂସଦ ପ୍ରତ୍ୟେକ ଗୋଟିଏ କରି ଗାଁକୁ ଆଦର୍ଶ ଗ୍ରାମ ଯୋଜନା ପାଇଁ ଗ୍ରହଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ୧୩, ତୃତୀୟ ପର୍ଯ୍ୟାୟରେ ୭, ଚତୁର୍ଥ ପର୍ଯ୍ୟାୟରେ ୧୮, ପଞ୍ଚମ ପର୍ଯ୍ୟାୟରେ ୭, ଷଷ୍ଟ ପର୍ଯ୍ୟାୟରେ ୬, ସପ୍ତମ ପର୍ଯ୍ୟାୟରେ ୪ ଓ ଅଷ୍ଟମ ପର୍ଯ୍ୟାୟରେ ମାତ୍ର ଗୋଟିଏ ଗ୍ରାମକୁ ସାଂସଦମାନେ ହାତକୁ ନେଇଛନ୍ତି। କିନ୍ତୁ ଏହି ଯୋଜନାରେ ଉତ୍ତରପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, କର୍ଣ୍ଣାଟକ, ‌କେରଳ, ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର ପ୍ରଦର୍ଶନ ଓଡ଼ିଶା ତୁଳନାରେ ଯଥେଷ୍ଟ ଭଲ ରହିଛି।

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଣଳୟର ସଦ୍ୟତମ ତଥ୍ୟ ଅନୁସାରେ ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୨୯୫୮ ଗାଁକୁ ଚିହ୍ନଟ କରାଯାଇଛି। ଏହି ସବୁ ଗାଁମାନଙ୍କ ପାଇଁ ୨ ଲକ୍ଷ ୪୧ ହଜାର ୮୯୮ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିବା ବେଳେ ଏକ ଲକ୍ଷ ୧୨ ହଜାର ୧ ସଂପୂର୍ଣ୍ଣ ହୋଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୪୬୦ଟି ଗାଁକୁ ଏହି ଯୋଜନା ପାଇଁ ଚିହ୍ନଟ କରାଯାଇଥିବା ବେଳେ ୪୨୬ଟିର ବିକାଶ କାର୍ଯ୍ୟ ଚାଲିଛି। ଅନ୍ୟ ପକ୍ଷରେ କର୍ଣ୍ଣାଟକରେ ସର୍ବାଧିକ ୧୩ ହଜାର ୯୮୬ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିବା ବେଳେ ୯ ହଜାର ୩୪୭ଟି ସଂପୂର୍ଣ୍ଣ ହୋଇଛି। ଏସ୍‌ଏଜିୱାଇ ଅନ୍ତର୍ଭୁକ୍ତ ଗ୍ରାମଗୁଡ଼ିକରେ ଶିକ୍ଷା, ସ୍ବାସ୍ଥ୍ୟ, ପୁଷ୍ଟିସାଧନ, ଜୀବିକା ନିର୍ବାହ, ଦକ୍ଷତା ବିକାଶ, ଆର୍ଥିକ ବିକାଶ, ପରିବେଶ ଉନ୍ନତି ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରାଯାଉଛି। କେନ୍ଦ୍ର ଗ୍ରାମୀଣ ମନ୍ତ୍ରଣାଳୟ ପକ୍ଷରୁ ଯୋଜନାର ତଦାରଖ ଓ ଅନୁଧ୍ୟାନ କରାଯାଉଛି ।