ଆଇଏସ କ୍ୟାଡର ରୁଲ ସଂଶୋଧନ ପ୍ରସ୍ତାବକୁ ବିରୋଧ କଲା ଓଡ଼ିଶା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଆଇଏସ କ୍ୟାଡର ରୁଲ ସଂଶୋଧନ ପ୍ରସ୍ତାବକୁ ଅନେକ ରାଜ୍ୟ ବିରୋଧ କରିଆସୁଛନ୍ତି । ଏହା ମଧ୍ୟରେ ଏହାକୁ ଓଡ଼ିଶା ମଧ୍ୟ ବିରୋଧ କରୁଥିବାର ଦେଖିବାକୁ ମିଳିଛି । ଏନେଇ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଟୁଇଟ୍ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ତେବେ ସର୍ବଭାରତୀୟ ସେବା ନିୟମକୁ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ, କେନ୍ଦ୍ର ଏବଂ ରାଜ୍ୟମାନେ ଏହି କ୍ୟାଡରମାନଙ୍କ ଉପରେ ଥିବା ନିୟନ୍ତ୍ରଣର ସନ୍ତୁଳନକୁ ଅଡ଼ୁଆାରେ ପକାଇବ। ଏହା ମଧ୍ୟ ଡେପୁଟେସନର ସଂଜ୍ଞା ବିରୁଦ୍ଧ ଅଟେ। ଏଥିଲାଗି ମଧ୍ୟ ସଂପୃକ୍ତ ଆଇଏଏସ୍ ଅଧିକାରୀଙ୍କ ସମ୍ମତି ଜରୁରୀ। ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସେ ନିଜର ଟୁଇଟରେ ଲେଖିଛନ୍ତି । ସେପଟେ ଓଡ଼ିଶା ସରକାର ମଧ୍ୟ ସମାନ ଆଭିମୁଖ୍ୟ ରଖି କେନ୍ଦ୍ରକୁ ଚିଠିଲେଖି ଏହି ପ୍ରସଙ୍ଗରେ ଆପତ୍ତି ଉଠାଇଥିବା ଜଣାଯାଇଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସଂଶୋଧନ ବିରୋଧରେ ତୀବ୍ର ବିରୋଧ ହୋଇଆସୁଛି ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ୍, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିରୋଧ କରିଛନ୍ତି। ଏହି ନୂଆ ନିୟମ ବିଷୟରେ ନରେନ୍ଦ୍ର ମୋଦୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। କେନ୍ଦ୍ର ସରକାର, ଆଇଏଏସ୍(କ୍ୟାଡର) ନିୟମ ୧୯୫୪ ରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଏହି ନିୟମ ଅନୁସାରେ ରାଜ୍ୟ ସରକାରଙ୍କ ଆରକ୍ଷଣ ଅଧିକାରକୁ କମ୍ କରି କେନ୍ଦ୍ର ସରକାର ଯେକୌଣସି ଆଇଏଏସ୍ ଅଧିକାରୀଙ୍କୁ ଡେପୁଟେସନରେ ଡକାଇ ପାରିବେ।

Related Posts