ଚିଟ୍‌ଫଣ୍ଡ ଲିଙ୍କ୍ ରେ ୱାଇଏସ୍‌ଆର୍‌ସିପି ନେତା ମଲ୍ଲା ବିଜୟ ପ୍ରସାଦଙ୍କୁ ଗିରଫ କଲା ଓଡ଼ିଶା ପୁଲିସ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଚିଟ୍‌ଫଣ୍ଡ ଲିଙ୍କ୍ ରେ ଗିରଫ ହେଲେ ବିଶାଖାପାଟଣା ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ତଥା ୱାଇଏସ୍‌ଆର୍‌ସିପି ନେତା ମଲ୍ଲା ବିଜୟ ପ୍ରସାଦ। ତାଙ୍କୁ ଓଡ଼ିଶା ପୁଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି। ୨୦୧୯ ଚିଟ୍‌ଫଟ୍‌ ମାମଲାରେ ବିଜୟ ପ୍ରସାଦଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ବିଶାଖାପାଟଣାରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ତାଙ୍କୁ ଗିରଫ କରିଛି। 

ମିଳିଥିବା ସୂଚନା ଅନୁସାରେ , ସୋମବାର କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବଂ ବିଶାଖାପାଟଣା ପୁଲିସ ମିଳିତ ଭାବେ ଭାଇଜାଗ ସ୍ଥିତ ଏମ୍‌ଭି ପ୍ରସାଦଙ୍କ ଘରେ ଚଢ଼ାଉ କରିଥିଲେ। ସେଠାରୁ କ୍ରାଇମବ୍ରାଞ୍ଚ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଥିବା ନେଇ ସୂଚନା ମିଳିଛି। ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ସାଙ୍ଗକୁ ୪୫ ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ। 

ଅଭିଯୋଗ ଅନୁସାରେ ଏମ୍.ଭି. ପ୍ରସାଦଙ୍କ ୱେଲଫେର ଗ୍ରୁପ ଅଫ୍ କମ୍ପାନି ନାଁରେ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ , ଛତିଶଗଡ଼ର ବହୁ ଅଞ୍ଚଳରୁ ଶହ ଶହ ହିତାଧିକାରୀ ଏହି କମ୍ପାନୀ ଦ୍ବାରା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। 

୨୦୦୧ରେ ଏମ୍.ଭି. ପ୍ରସାଦଙ୍କ ୱେଲଫେର ଗ୍ରୁପ ଅଫ୍ କମ୍ପାନି  ବିଭିନ୍ନ ରାଜ୍ୟରେ ଏହାର ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା। କିନ୍ତୁ କମ୍ପାନି ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ହୋଇଛି। ଓଡ଼ିଶାର ବିଭିନ୍ନ ଥାନାରେ ଏମ୍‌ଭି ପ୍ରସାଦଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ସୋମବାର ଓଡ଼ିଶାର ସିଆଇଡି ଟିମ୍ ଏମ୍.ଭି. ପ୍ରସାଦଙ୍କ ବିଶାଖାପାଟଣା ସ୍ଥିତ ଘରେ ଚଢ଼ାଉ କରିଥିଲା । ତାଙ୍କ ନାଁରେ ଆଇପିସିର ଧାରା ୪୦୨, ୪୦୬, ୪୬୭, ୪୬୮, ୪୭୧ ଓ ୧୨୦(ବି)  ଆଧାରରେ ମାମଲା ରୁଜୁ କରିଛି ପୋଲିସ। 

Related Posts