ଏନଡିଏ ଗଠବନ୍ଧନରେ ସାମିଲ ହେବା ଏବଂ କେନ୍ଦ୍ରରେ ମନ୍ତ୍ରୀ ପଦ ଅଫରକୁ ଖାରଜ କଲା YSR କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଗତ କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା ଯେ, ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ୱାଇଏସଆର କଂଗ୍ରେସ ମୋଦିଙ୍କ କ୍ୟାବିନେଟରେ ସାମିଲ ହେବାକୁ ଯାଉଛି । କିନ୍ତୁ ଏ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି YSRCP ମୁଖପାତ୍ର ରାଜ୍ ଶେଖର ରେଡ୍ଡୀ । ସେ ଏଭଳି ଚର୍ଚ୍ଚାକୁ ଅଗ୍ରାହ୍ୟ କରି କହିଛନ୍ତି ଯେ ଦଳ କେବେ ମଧ୍ୟ କେନ୍ଦ୍ର କିମ୍ବା ରାଜ୍ୟ ସ୍ତରରେ ଏନଡିଏରେ ସାମିଲ ହେବ ନାହିଁ। ଏହା ସହିତ ସେ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ପଦ ପାଇଁ ଏବଂ ଏନଡିଏରେ ଯୋଗଦେବା ପାଇଁ ବିଜେପି ପକ୍ଷରୁ ଦିଆଯାଇଥିବା ଅଫର୍ କୁ ସେ ଖାରଜ କରି ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ,“କେନ୍ଦ୍ରରେ ବିଜେପି, କଂଗ୍ରେସ, ଟିଏମସି କିମ୍ବା ବାମ ଦଳ ହେଉ YSRCP ସବୁ ପାର୍ଟି ସହ ସମ ଦୂରତା ବଜାୟ ରଖିଛି। YSRCP କେବଳ ସାଧାରଣ ଜନତାଙ୍କ ସହ ମିଶିଥାଏ ଏବଂ ଅନ୍ୟ କୌଣସି ଦଳ ଠାରୁ ସମାନ ଦୂରତା ବଜାୟ ରଖିଥାଏ ବୋଲି ସେ କହିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ବିଭିନ୍ନ ରାଜ୍ୟରେ ଶାସନାଧୀନ ଆଞ୍ଚଳିକ ଦଳମାନଙ୍କୁ ନିଜ ଅକ୍ତିଆରକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ଜଗନଙ୍କ ପାର୍ଟି ସହିତ ବୁଝାମଣା ପାଇଁ ପ୍ରୟାସ କରୁଥିଲା ,କିନ୍ତୁ YSRCP ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି।

ରାଜାସେଖରା ରେଡ୍ଡୀ କହିଛନ୍ତି ଯେ , YSRCP ନେତୃତ୍ୱାଧୀନ ରାଜ୍ୟ ସରକାର ଏବଂ କେନ୍ଦ୍ରର ବିଜେପି ସରକାରଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ଅନ୍ୟପକ୍ଷରେ ମମତା ବାନାର୍ଜୀଙ୍କ ସହ ତାଙ୍କର ଘନିଷ୍ଠତା ସମ୍ପର୍କରେ ସେ କହିଛନ୍ତି ଯେ, “ଏପର୍ଯ୍ୟନ୍ତ ମମତା ବାନାର୍ଜୀଙ୍କ ଠାରୁ YSRCP କୁ କୌଣସି କଲ ଆସି ନାହିଁ ଏବଂ ଦଳ କୌଣସି ମହା ଗଠବନ୍ଧନରେ ଯୋଗଦେବାକୁ ଆଗ୍ରହୀ ନୁହେଁ ତେବେ ଭବିଷ୍ୟତରେ କଣ ହେବ ତାହା ଦଳର ସଭାପତି ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୟେସ ଜଗନମୋହନ ରେଡ୍ଡୀ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।” ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଜାତୀୟ ସ୍ତରରେ ଏକ ବିରୋଧୀ ମହାମେଣ୍ଟ ଗଠନ କରିବାକୁ ଚାହୁଁଛନ୍ତି। କଂଗ୍ରେସ- YSRCP ଗଠବନ୍ଧନ ସମ୍ଭାବନା ସମ୍ପର୍କରେ ରାଜଶେଖର ରେଡ୍ଡୀ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶରେ କଂଗ୍ରେସ ଦଳ ବୁଡ଼ି ଯାଇଥିବା ଜାହାଜ ସଦୃଶ। ତେଣୁ YSRCP କଂଗ୍ରେସ ସହିତ ଯିବାର କୌଣସି ସମ୍ଭାବନା ନାହିଁ ।

Related Posts