ଓଡ଼ିଶାର ଗୌରବ : 20 ବର୍ଷ ଧରି ସଂସ୍କୃତ ପଢ଼ାଉଛନ୍ତି ମୁସଲିମ୍ ମହିଳା

(ସତ୍ୟପାଠ ବ୍ୟୁରୋ) ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ସହକାରୀ ସଂସ୍କୃତ ଅଧ୍ୟାପକ ଫିରୋଜ ଖାନଙ୍କ ନିଯୁକ୍ତିକୁ ନେଇ ବିବାଦ ଲାଗି ରହିଛି । ମୁସଲିମ ହୋଇଥିବାରୁ ତାଙ୍କୁ ସଂସ୍କୃତ ପାଠ ପଢ଼ାଇବାକୁ ବିରୋଧ କରାଯାଉଥିବା ବେଳେ ଏକ ଉଦାହରଣ ସୃଷ୍ଟି କଲା ଭଳି ଖବର ସାମ୍ନାକୁ ଆସିଛି । ଏହି ଖବର ଆସିଛି ଓଡ଼ିଶାର ପଛୁଆ ଜିଲ୍ଲା କୁହାଯାଉଥିବା ଦେବଗଡ଼ର ରିଆମାଳ ବ୍ଲକ ଖଇରାପଲ୍ଲୀ ହାଇସ୍କୁଲରୁ । ଯେଉଁଠି ଜଣେ 50 ବର୍ଷୀୟା ମୁସଲିମ ଶିକ୍ଷୟିତ୍ରି ହସନ ତାରା ଦୀର୍ଘ 20 ବର୍ଷ ଧରି ସଂସ୍କୃତ ପାଠ ପଢ଼ାଉଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଭଳି କାମ କରିବାରେ ତାଙ୍କୁ କେବେ କୌଣସି ପ୍ରତିବନ୍ଧକ ବା ବାଧାର ସାମ୍ନା କରିବାକୁ ପଡ଼ିନାହିଁ ।

ହସନ ତାରା ଖଇରାପଲ୍ଲୀ ସ୍କୁଲର ଜଣେ ପପୁଲାର ଓ କଠିନ ପ୍ରରିଶ୍ରମି ଶିକ୍ଷୟିତ୍ରୀ, ତାଙ୍କ ଶକ୍ଷାଦାନ ପ୍ରଣାଳୀକୁ ସମସ୍ତେ ପ୍ରଶଂସା କରନ୍ତି । ମୋ ଝିଅ ତାଙ୍କଠାରୁ ସଂସ୍କୃତ ଶକ୍ଷା ଗ୍ରହଣ କରି ଭଲ ନମ୍ବର ରଖିଛି । ତାରାଙ୍କ ସମସ୍ତ ଛାତ୍ରଛାତ୍ରୀ ସଂସ୍କୃତରେ 70 ପ୍ରତିଶତରୁ ଅଧିକ ନମ୍ବର ରଖିଥାନ୍ତି । ତାରା ତାଙ୍କର କ୍ଲାସକୁ ନେଇ ଯେତେ ତତ୍ପର ତାଠାରୁ ଆହୁରି ଅଧିକ ତତ୍ପରତା ଦେଖାଇଥାନ୍ତି ପର୍ବ ପର୍ବାଣୀ ବେଳେ । ସ୍କୁଲରେ ଗଣେଶ ପୂଜା ହେଉ କି ସରଶ୍ବତୀ ପୂଜା ସବୁଥିରେ ତାରାଙ୍କ ଭୂମିକା ଅଧିକ ଥାଏ ବୋଲି କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ଅନନ୍ତ ଶତପଥୀ ।

ସଂସ୍କୃତରେ ଗ୍ରାଜୁଏସନ କରିବା ପରେ 1992 ମସିହାରେ ସଂସ୍କୃତ ଶିକ୍ଷୟିତ୍ରୀ ଭାବେ ଖଇରାପଲ୍ଲୀ ହାଇସ୍କୁଲରେ ଜଏନ କରିଥିଲେ ତାରା । ସେବେଠାରୁ ଆଜି ଯାଏ କୌଣସି ଅସୁବିଧାର ସମ୍ମୁଖିନ ହୋଇନାହିଁ । ଏପରିକି ମୁଁ ଜଣେ ମୁସଲିମ ମହିଳା ହୋଇଥିଲେ ବି ସଂସ୍କୃତ ପାଠ ପଢ଼ାଇବାରେ ମୋତେ କେବେ କେହି ବାରଣ ବି କରିନାହାନ୍ତି । ଧର୍ମ ସହ ଭାଷାର କିଛି ସମ୍ପର୍କ ନାହିଁ । ସଂସ୍କୃତ ସବୁଠୁ ପୁରୁଣା ଏବଂ ଅତି ସୁନ୍ଦର ଭାଷା । ମୁଁ ସବୁବେଳେ ପିଲାଙ୍କ ଶିକ୍ଷଣିୟ କ୍ଷମତା ଉପରେ ଗୁରୁତ୍ବ ଦେଇଥାଏ ବୋଲି ସତ୍ୟପାଠ ସହ ଆଲୋଚନା ବେଳେ କହିଛନ୍ତି ହସନ ତାରା । ଏହାଛଡ଼ା ତାଙ୍କର ଜଣେ ଝିଅ ତାଳଚେରରେ ଗୋଟିଏ ସ୍କୁଲରେ ବିଜ୍ଞାନ ଶିକ୍ଷୟିତ୍ରୀ ଅଛି ବୋଲି ତାରା କହିଛନ୍ତି ।

ଅନ୍ୟପଟେ କିନ୍ତୁ ଫିରୋଜ ଖାନଙ୍କ ନିଯୁକ୍ତିକୁ ନେଇ BHUରେ ଛାତ୍ରଛାତ୍ରୀ ବିକ୍ଷୋଭ ଜାରି ରହିଛି । ସଂସ୍କୃତ ଶିକ୍ଷା ପାଇଁ ମୁସଲିମ ଅଧ୍ୟାପକଙ୍କ ନିଯୁକ୍ତି ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ମଦନ ମୋହନ ମାଲଭିୟଙ୍କ ଚିନ୍ତାଧାରାକୁ ବିରୋଧ କରୁଥିବା ସେମାନେ ଅଭିଯୋଗ କରୁଛନ୍ତି । ଗୋଟିଏ ପଟେ BHUରେ ଆନ୍ଦୋଳନ ଅନ୍ୟପଟେ ତାରାଙ୍କ ଭଳି ଶିକ୍ଷକଙ୍କୁ ଓଡ଼ିଶାରେ ଶିକ୍ଷାଦାନ ପାଇଁ ମିଳିଥିବା ଅନୁକୂଳ ବାତାବରଣ ଏବଂ ସମ୍ମାନକୁ ଦେଖି ବୁଦ୍ଧିଜୀବୀ କହୁଛନ୍ତି ବନାରସ ହିନ୍ଦୁ ୟୁନିଭରସିଟି ଓଡ଼ିଶାଠାରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ ।

Related Posts