ଆଉ ୧୦ ବର୍ଷ ପାଇଁ ଜାତୀୟ ହକି ଦଳର ପ୍ରାୟୋଜକ ହେବ ଓଡ଼ିଶା

ଭୁବନେଶ୍ୱର,୨୫/୪(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭାରତୀୟ ପୁରୁଷ ଓ ମହିଳା ଜାତୀୟ ହକି ଦଳର ଆଗାମୀ ୧୦ ବର୍ଷ ପାଇଁ ପ୍ରାୟୋଜକ ହେବ ଓଡ଼ିଶା । ୨୦୧୮ରୁ ଉଭୟ ଜୁନିୟର ଓ ସିନିଅର ଦଳର ପ୍ରାୟୋଜକ ଭାବେ ରହି ଆସୁଛି ଓଡିଶା। ଯାହା ୨୦୨୩ରୁ ୨୦୩୩ ଯାଏ ଏବେ ରହିବ।

ଓଡ଼ିଶା ଖଣି ନିଗମ ଲିମିଟେଡ୍ (ଓଏମସି) ୨୦୨୩ ଫେବୃୟାରୀ ୧ରୁ ୨୦୩୩ ଜାନୁଆରି ୩୧ ତାରିଖ ମଧ୍ୟରେ ହକି ଇଣ୍ଡିଆକୁ ୪୩୪.୧୨ କୋଟି ଟଙ୍କା ପ୍ରଦାନ କରିବ।୨୦୧୮ରେ ଓଏମସି ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ଚୁକ୍ତି କରିବା ପରେ ଏହି ଘୋଷଣା କରାଯାଇଥିଲା, ଯାହାର ଅବଧି ୨୦୨୩ରେ ଶେଷ ହେବାକୁ ଥିଲା। ଚୁକ୍ତି ଅବଧି ବଢ଼ାଇବାକୁ ହକି ଇଣ୍ଡିଆ ଅନୁରୋଧ କରିବା ପରେ ପ୍ରାୟୋଜକ ପଦ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଓଏମସି ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମୋଦନ ଲୋଡ଼ା ଯିବା ପରେ ଓଡ଼ିଶା କ୍ୟାବିନେଟ୍ ସୋମବାର ଅନୁରୋଧକୁ ମଞ୍ଜୁରୀ ପ୍ରଦାନ କରିଛି।

ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଦଳ କାଂସ୍ୟ ପଦକ ଜିତି ୪୧ ବର୍ଷର ଅବସାନ ଘଟାଇଥିବା ବେଳେ ମହିଳା ଦଳ ଇତିହାସରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିବା ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ପ୍ରାୟୋଜକ ଭାରତୀୟ ଜାତୀୟ ହକି ଦଳକୁ ଉତ୍ସାହିତ କରିବ, ଯାହାକୁ ଆଗାମୀ ୧୦ ବର୍ଷ ଯାଏ ଓଡ଼ିଶା ସରକାରଙ୍କ ସମର୍ଥନ ମିଳିବ।

ତେବେ ୨୦୧୮ ପୁରୁଷ ହକି ବିଶ୍ୱକପ୍ ଓ ୨୦୧୭ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଭଳି ବଡ଼ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରି ରାଜ୍ୟ ନିକଟ ଅତୀତରେ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଏକ ପେଣ୍ଠସ୍ଥଳୀ ପାଲଟିଛି। ବିଭିନ୍ନ କ୍ରୀଡ଼ା ଏକାଡେମି ଓ ଆଥଲେଟମାନଙ୍କୁ ମଧ୍ୟ ସରକାର ସହାୟତା ପ୍ରଦାନ କରିଛନ୍ତି। ଯାହା ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିବାରେ ସହାୟକ ହୋଇଛି।

Related Posts