୬ରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ:୩ ଦିନ ପ୍ରବଳ ଗାଳିବ

ଭୁବନେଶ୍ୱର : ରାଜ୍ୟରେ ଏବେ ଦୁର୍ବଳ ରହିଛି ମୌସୁମୀ । ଫଳରେ ଦିନର ତାପମାତ୍ରା ବୃଦ୍ଧି ପାଇଛି । ଏବେ କୌଣସି ବର୍ଷା କିମ୍ବା ଲଘୁଚାପ ର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ମାତ୍ର ଅଗଷ୍ଟ ୬ ତାରିଖରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ୬ରୁ ୯ ତାରିଖ ବର୍ଷା ହେବ । ଧାନ ରୁଆ ପାଇଁ ବର୍ଷାର ଅସୁବିଧା ଦୂର ହେବ ବୋଲି କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଚଳିତ ମାସ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୩୬୮.୩ ମିଲିମିଟର ବର୍ଷା ହୋଇଛି । ମାସରେ ସ୍ୱାଭାବିକ ବର୍ଷା ୩୪୪.୬ ମିଲିମିଟର ଥିବାବେଳେ ସ୍ୱାଭାବିକଠୁ ୬.୧% ଅଧିକ ବର୍ଷା ହୋଇଛି । ଆସନ୍ତା ଦୁଇ ଦିନରେ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଫଳରେ ଜୁଲାଇ ମାସର ବର୍ଷା ସ୍ୱାଭାବିକ ରହିବ । ଜୁନ୍‌ ମାସରେ ରାଜ୍ୟରେ ୩୯.୭% କମ୍‌ ବର୍ଷା ହୋଇଥିଲା ।

ଏ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା (୫୩୫.୨ ମିଲିମିଟର)ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ସବୁଠୁ କମ୍‌ (୨୯୧ ମିଲିମିଟର) ବର୍ଷା ହୋଇଛି । ସମ୍ବଲପୁର, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୨୦%ରୁ ୩୨% ନିଅଣ୍ଟିଆ ବର୍ଷା ଥିବାବେଳେ ୭ଟି ଜିଲ୍ଲାରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇଛି । ପୁରୀ, କେନ୍ଦ୍ରାପଡ଼ା, ବୌଦ୍ଧ, ମାଲକାନଗିରି, ଖୋର୍ଦ୍ଧା, କନ୍ଧମାଳ ଓ ଜଗତସିଂହପୁର ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ (୧୯%) ବର୍ଷା ହୋଇଛି ।

ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି । ଦିନ ବେଳେ ଟାଣ ଖରା ରହିବା ସହିତ ତାପମାତ୍ରା ବଢ଼ିବ । ସ୍ଥାନେ ସ୍ଥାନେ ଉପରବେଳା ପରିଚଳନ ଜନିତ ବର୍ଷା ହେବ । ବଜ୍ରପାତର ସମ୍ଭାବନା ରହିଛି ବୋଲି ସେ ପୂର୍ବାନୁମାନ କରିଛନ୍ତି।

Related Posts