ଜଗନ୍ନାଥଙ୍କୁ ଅନ୍‌ଲାଇନ୍‌ ନିମନ୍ତ୍ରଣ ପତ୍ର

ସ୍ବତନ୍ତ୍ର ୱେବ୍‌ସାଇଟ୍‌ କଲା ଖୁଣ୍ଟିଆ ନିଯୋଗ

ବିବାହ ଆଦି କର୍ମରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନିମନ୍ତ୍ରଣ ପତ୍ର ଦେବାକୁ ଏଣିକି ଆଉ ଭକ୍ତଙ୍କୁ ପୁରୀ ଆସିବାକୁ ପଡ଼ିବନି । ଘରେ ବସି ଅନ୍‌ଲାଇନ୍‌ରେ ଜଗନ୍ନାଥଙ୍କୁ ପଠାଇପାରିବେ ନିମନ୍ତ୍ରଣପତ୍ର । ଏହି ନିମନ୍ତ୍ରଣ ପତ୍ର ପ୍ରିଣ୍ଟ କରାଯାଇ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଲାଗି କରାଯିବ । ଦେଶବିଦେଶରେ ରହୁଥିବା ଜଗନ୍ନାଥପ୍ରେମୀଙ୍କ ଉଦ୍ଦେଶ୍ୟରେ ଏଭଳି ଏକ ସୁଯୋଗ ଆଣିଛି ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗ ।

ମୁମ୍ବାଇରେ ନିଯୋଗର ଏହି ୱେବ୍‌ସାଇଟ୍ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍‌ଶୀଘ୍ର ଏହି ୱେବ୍‌ସାଇଟ୍ ଭକ୍ତଙ୍କ ଉଦ୍ଦେଶ୍ୟରେ ‌ଲୋକାର୍ପିତ ହେବ ବୋଲି ଖୁଣ୍ଟିଆ ନିଯୋଗ ବିଧିବଦ୍ଧ ଭାବେ ଘୋଷଣା କରିଛି । ଏଥିପାଇଁ ନିଯୋଗ କୌଣସି ଦେୟ ରଖି ନଥିବାବେଳେ ଭକ୍ତମାନେ ଚାହିଁଲେ ଇଚ୍ଛା ମୁତାବକ ଯାହା କିଛି ଦେବେ ତାହା ଗ୍ରହଣ କରାଯିବ ବୋଲି ଖୁଣ୍ଟିଆ ନିଯୋଗର ଶମ୍ଭୁନାଥ ଖୁଣ୍ଟିଆ କହିଛନ୍ତି । ଦୁଇ ତିନି ଦିନ ଭିତରେ ଏହି ୱେବସାଇଟ୍ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ ।

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସଂପର୍କକୁ ଆହୁରି ନିବିଡ଼ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ୱେବ୍‌ସାଇଟରେ ନିଯୋଗ କାର୍ଡ ପଠାଇବା ସଂପର୍କରେ ଭକ୍ତଙ୍କ ପାଇଁ ସଂପୂର୍ଣ୍ଣ ତଥ୍ୟ ରଖିବ । ଦାନ ସଂପର୍କରେ ସେପରି କିଛି ନିଷ୍ପତ୍ତି ହୋଇନଥିଲେ ବି ଭକ୍ତମାନେ ଯାହା ଇଚ୍ଛା ମୁତାବକ ଦେବେ ତାହା ଗ୍ରହଣ କରାଯିବ ଓ ଯେଉଁଦିନ ଏହି କାର୍ଡ଼ ମହାପ୍ରଭୁଙ୍କଠାରେ ଲଗାଯିବ, ସେହିଦିନ ସଂପୃକ୍ତ ପାଳିଆ ଖୁଣ୍ଟିଆ ସେବକଙ୍କୁ ଏହି ଦେୟ ଦିଆଯିବ ।

ଯେଉଁଦିନ ମହାପ୍ରଭୁଙ୍କଠାରେ ନିମନ୍ତ୍ରଣ ପତ୍ର ପଠାଯିବ, ସେଦିନ ନିଯୋଗ ତରଫରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ସୂଚନା ପଠାଯିବ । ଯାହା ଫଳରେ ଭକ୍ତ ଜଣକ ତାଙ୍କ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କଠାରେ ଲାଗି ହେଲା ବୋଲି ଜାଣିପାରିବେ । ପୂର୍ବରୁ ଭକ୍ତଙ୍କୁ ବିବାହ ଓ ଅନ୍ୟ କୌଣସି ନିମନ୍ତ୍ରଣ ପତ୍ର ଦେବାକୁ ହେଲେ ଶ୍ରୀମନ୍ଦିର ଆସିବାକୁ ପଡ଼ୁଥିଲା । ଖୁଣ୍ଟିଆ ନିଯୋଗ ଏହାକୁ ମହାପ୍ରଭୁଙ୍କଠାରେ ଲାଗି କରୁଥିଲେ ।

Related Posts