ଗଞ୍ଜାମ ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ;ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ପୋଲସରା ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଛି ସ୍ବାସ୍ଥ୍ୟସେବା । ଏଥିପାଇଁ ଦାୟୀ ସରକାରୀ ଅବହେଳା ଓ ଜନସ୍ବାସ୍ଥ୍ୟ ବିଭାଗର ଖାମଖିଆଲ ନୀତି । ସମସ୍ୟାର ସମାଧାନ ନେଇ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏନେଇ ହାଇକୋର୍ଟରେ ଦାଏର ହୋଇଛି ଜନସ୍ବାର୍ଥ ମାମଲା ।

ଏକ ଜନ ମଙ୍ଗଳ ରାଷ୍ଟ୍ରରେ ସ୍ୱାସ୍ଥ୍ୟ ସେବା ସାଧାରଣ ଜନତାଙ୍କ ମୌଳିକ ଅଧିକାର । ସରକାର ସ୍ୱାସ୍ଥ୍ୟସେବା ନେଇ କେବଳ ପ୍ରଚାର କରୁଛନ୍ତି, ଜନତାଙ୍କୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା କଥା କୁହାଯାଉଛି । କିନ୍ତୁ ବାସ୍ତବ କ୍ଷେତ୍ରରେ ସରକାରୀ ନାରାର ସତ୍ୟତା ଦେଖିବାକୁ ମିଳୁଛି ଗଞ୍ଜାମ ଜିଲ୍ଲାର ପୋଲସରା ସମେତ ବିଭିନ୍ନ ଅଞ୍ଚଳରେ ।

କୋଦଳା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବେଗୁନିଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଆଠଗଡ଼ ପାଟଣା ସ୍ୱାସ୍ଥ୍ୟକେନ୍ଦ୍ର, ବୁଢ଼ାମ୍ବ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ହାତୀଓଟ ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଢୁଙ୍କାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଚିରିକିପଡ଼ା ଶାସନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପାଣ୍ଡିରିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ମଥୁରା ଉପ ସ୍ୱାସ୍ଥ୍ୟକେନ୍ଦ୍ର, ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବାଲିପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସରକାରଙ୍କ ଦ୍ୱାରା ଡାକ୍ତରଠାରୁ ଚତୁର୍ଥଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ ବହୁ ପଦବୀ ଖାଲି ପଡ଼ିଛି ।

ଯାହା ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀ ସେବା ପାଇପାରୁାନାହାନ୍ତି । ପୁଣି ନିଯୁକ୍ତ ହୋଇଥିବା ଡାକ୍ତର ମାନେ ମଧ୍ୟ ସଠିକ୍‌ ସମୟରେ ଆସନ୍ତିନାହିଁ । ସରକାରଙ୍କ ଦ୍ୱାରା ମିଳୁଥିବା ନିରାମୟ ଜନ ଔଷଧି ରୋଗୀଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ଉପଲବ୍ଧ ହେଉନାହିଁ । ଔଷଧ ସମ୍ପର୍କରେ କୌଣସି ସୂଚନା ଫଳକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଉପଲବ୍ଧ ହେଉନାହିଁ। ନିକତତମ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ସୁବିଧା ନପାଇ ଲୋକେ ଘରୋଇ ହସ୍ପିଟାଲକୁ ଯିବାକୁ ବାଧ୍ୟ ହେଉଛନ୍ତି ।

ଏହି ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଆମ୍ବୁଲାନ୍ସ ସେବା ଓ ଜନନୀ ସୁରକ୍ଷା ପାଇଁ ଉଦ୍ଧିଷ୍ଟ ଭ୍ୟାନ୍‌ ମଧ୍ୟ ଉପଲବ୍ଧ ହେଉନାହିଁ । ସମ୍ପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ପରିମଳ ବ୍ୟବସ୍ଥା, ପାନୀୟଜଳ ଯୋଗାଣ, ରୋଗୀଙ୍କପାଇଁ ଯୋଗାଇ ଦିଆଯାଉଥିବା ସୁଷମ ଖାଦ୍ୟରେ ଅନିୟମିତତା ଦେଖା ଦେଇଛି ।

ଜିଲ୍ଲାରେ ସ୍ବାସ୍ଥ୍ୟସେବା ସୁଧାରିବା ଦିଗରେ ପଦକ୍ଷେପ ନେବା ପାଇଁ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଲା ସଭାପତି ସମରଜିତ ମହାନ୍ତି ୦୧/୦୬/୨୦୧୮ ତାରିଖରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ ଗଞ୍ଜାମ, CDM ଗଞ୍ଜାମଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସୁଧାରିବା ନେଇ କୌଣସି ପଦକ୍ଷେପ ନିଆ ନ ଯିବାରୁ ଶ୍ରୀ ମହାନ୍ତି ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ରିଟ୍‌ ପିଟିସନ ନମ୍ବର :୨୦୮୬/୨୦୧୮ରେ ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ।

ରିପୋର୍ଟ-ନୃସିଂହ ନାଥ ସ୍ବାଇଁ, ପୋଲସରା

 

Related Posts