ରାୟଗଡା: ରାୟଗଡା କଲ୍ୟାଣସିଂହପୁରରେ ପିଲା ଚୋରି ଗୁଜବ ଯୋଗୁ ଘଟିଥିବା ଭିଡ଼ ହିଂସା ମାମଲା ଏବେ ରାଜ୍ୟ ଓ ଜାତୀୟ ଗଣମାଧ୍ୟମର ଶିରୋନାମାରେ ରହିଛି। ଏନେଇ ପ୍ରତିକ୍ରିୟା ଦେଇ ଦୋଷୀକୁ କଠୋର ଦଣ୍ଡ ଦିଆଯିବ ବୋଲି ସିଏଡବ୍ଲ୍ୟୁ ଏଡିଜି ଏସ୍ ସାଇନି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବହୁତ ଦୁଃଖଦ ଘଟଣା ଘଟିଛି। ଦୋଷୀକୁ ଦଣ୍ଡ ଦେବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ। ଏଭଳି ଘଟଣା ଆଗାମୀ ଦିନରେ ନେହେବା ପାଇଁ ଚେଷ୍ଟା କରିବୁ। ଘଟଣାରେ ଜିଲ୍ଲା ପୋଲିସ ତଦନ୍ତ କରୁଛି। ପୀଡ଼ାତାଙ୍କୁ ଓଡ଼ିଶା ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଭିଡ଼ ହିଂସା ରୋକିବା ସବୁ ବର୍ଗର ଦାୟିତ୍ବ। ସଚେତନତା ସୃଷ୍ଟି କେବଳ ପୋଲିସର କାମ ନୁହେଁ, ସମସ୍ତଙ୍କର କାମ। ସରକାରଙ୍କ ସବୁ ବିଭାଗ ଓ ମିଡିଆର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଘଟଣା ବେଳେ କେବଳ ଫଟୋ ଉତ୍ତୋଳନ ନ କରି ଆଗକୁ ଆସନ୍ତୁ। ୩/୪ ଲୋକ ଆଗକୁ ଆସିଲେ ଏହାକୁ ରୋକା ଯାଇ ପାରିବ। ଘଟଣାରେ ବଳରାମ ବାଗ୍‌ ଯେଉଁ ସାହସ ଦେଖାଇଛନ୍ତି ତାହା ଏକ ଉଦାହରଣ। ଆହୁରି ଅଧିକ ବଳରାମ ବାଗ୍‌ ଓଡ଼ିଶାରେ ସୃଷ୍ଟି ହେବାର ଆବଶ୍ୟକତା ରହିଛି। ରାୟଗଡ଼ା ଭିଡ଼ ହିଂସା ତଦନ୍ତକୁ ସିଏଡବ୍ଲ୍ୟୁ ମନିଟର କରିବ। ପୀଡ଼ିତାଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବୁ ବୋଲି ସେ କହିଛନ୍ତି।

ଏହାରି ମଧ୍ୟରେ ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ମାମଲା ଦାଖଲ ହୋଇଥିବାବେଳେ, ପୀଡ଼ିତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ନ୍ୟାୟ ପ୍ରଦାନ ପାଇଁ ଦାବି ଉଠିଛି। ଘଟଣାକୁ ନେଇ ପ୍ରଶାସନିକ ଓ ଆଇନଗତ ତତ୍ପରତା ବଢ଼ିଥିବାବେଳେ, ମାମଲାରେ ରାଜ୍ୟର ଏକାଧିକ ଶୀର୍ଷ ପଦାଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏହି ମାମଲାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିବାବେଳେ, ଗୃହସଚିବ, ରାୟଗଡ଼ା ଜିଲ୍ଲାପାଳ ଓ ଜିଲ୍ଲା ଏସପିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି। ଘଟଣାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବାବେଳେ ଏହି ଘଟଣାରେ ଏପର୍ଯ୍ୟନ୍ତ ୨୪ ଜଣ ଗିରଫ ହୋଇଛନ୍ତି। ତେବେ ଆଗାମୀ ଦିନରେ ମାନବାଧିକାର କମିସନଙ୍କ ପଦକ୍ଷେପ ଓ ପ୍ରଶାସନର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପଟେ ଏହି ଘଟଣା ପରେ ପରିସ୍ଥିତିକୁ ସ୍ୱାଭାବିକ ରଖିବା ଏବଂ ସାଧାରଣ ଲୋକଙ୍କ ମନରେ ଆଇନ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏସପିଙ୍କ ନିର୍ଦ୍ଦେଶକ୍ରମେ କଲ୍ୟାଣସିଂହପୁର ପୋଲିସ ଏହି ଫ୍ଲାଗ ମାର୍ଚ୍ଚ କରିଥିବା ବେଳେ ଏହି ସମୟରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରିବା, କୌଣସି ଅପ୍ରମାଣିତ ସୂଚନା ପ୍ରଚାର ନ କରିବା ଏବଂ ଆଇନକୁ ନିଜ ହାତକୁ ନ ନେବା ପାଇଁ ସଚେତନ କରିଥିଲେ।

ଅନ୍ୟପଟେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଭିଡ଼ହିଂସା ମାମଲା ରେଡ୍‌ଫ୍ଲାଗ୍‌ ଭୁକ୍ତ ହେବା ପରେ ଗିରଫ ଭୟ ବଢ଼ିଛି। ଘଟଣାରେ ସମ୍ପୃକ୍ତ ଏବଂ ଭିଡିଓ ଭାଇରାଲ୍‌ କରିଥିବା ଅନେକ ବ୍ୟକ୍ତି ଏବେ ଗାଁ ଛାଡ଼ି ବାହାରେ ଅଛନ୍ତି। ପୁଲିସ ଭୟରେ ଇନ୍ତାଲିଗୁଡ଼ା ଗାଁ ପୁରୁଷଶୂନ୍ୟ ହୋଇପଡ଼ିଛି। ଫେରାର ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ପୋଲିସ ଏକାଧିକ ଟିମ୍‌ ଗଠନ କରି ଚଢ଼ଉ ଜାରି ରଖିଛି। ଏହି ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ଥିବାବେଳେ କେବଳ ଇନ୍ତାଲିଗୁଡ଼ା ଗ୍ରାମକୁ ସମସ୍ତେ ଟାର୍ଗେଟ୍‌ କରୁଥିବା ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ଇନ୍ତାଲିଗୁଡ଼ା, ସାଇନଗର ଏବଂ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।