ଦେଶରେ ଅନ୍‌ଲାଇନ୍‌ରେ ଔଷଧ ବିକ୍ରି ସଂପୂର୍ଣ୍ଣ ବ୍ୟାନ୍‌, ରାୟ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ

ଦେଶରେ ଅନ୍‌ଲାଇନ୍‌ରେ ଔଷଧ ବିକ୍ରି ସଂପୂର୍ଣ୍ଣ ବ୍ୟାନ୍‌ । ଦିଲ୍ଲୀ ହାଇକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଇଣ୍ଟରନେଟ୍‌ ବା ଇ-ଫାର୍ମାସୀ ଜରିଆରେ ଔଷଧ ବିକ୍ରି ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଏଥିଯୋଗୁଁ ଜୀବନ ପ୍ରତି ମଧ୍ୟ ବିପଦ ଥିବା ଦର୍ଶାଇ ଦିଲ୍ଲୀର ଜଣେ ଚର୍ମରୋଗ ବିଶେଷଜ୍ଞ ଅଦାଲତର ଦ୍ବାରସ୍ଥ ହୋଇଥିଲା । ଏହାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ ଓ ଜଷ୍ଟିସ ଭି.କେ ରାଓଙ୍କ ଖଣ୍ଡପୀଠ ଅନଲାଇନ୍‌ ଔଷଧ ବିକ୍ରି ବ୍ୟାନ୍‌ କରିଛନ୍ତି ।

ଏହା ଯେମିତି କଡ଼ାକଡ଼ି ଭାବେ ପାଳନ ହେବ ତାହା ସୁନିଶ୍ଚିତ କରିବାକୁ କୋର୍ଟ କେନ୍ଦ୍ର ସରକାର ଓ ଦିଲ୍ଲୀର ଆପ୍‌ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଇ-ଫାର୍ମାସୀ ଓ ଅନ୍‌ଲାଇନ୍‌ରେ ଔଷଧ ବ୍ୟବସାୟକୁ ବିରୋଧ କରି ଗତ ସେପ୍ଟେମ୍ବର 28ରେ ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଘର ଆହ୍ବାନରେ ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ରହିଥିଲା ।

ଇ-ଫାର୍ମାସୀ ହେଲେ ରୋଗୀଙ୍କ ପାଖରେ ଠିକ୍‌ ଔଷଧ ପହଞ୍ଚିପାରିବ ନାହିଁ, ଔଷଧ ଦୋକାନୀ ଓ କର୍ମଚାରୀ ଜୀବିକା ହରାଇବା ଆଶଙ୍କା ରହିଛି ବୋଲି ସଂଘ ଦର୍ଶାଇଥିଲା ।

Related Posts