କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନାମକ ତିନିଟି ଦୁର୍ଗ ଜିତି ନେଇଛି । ତେବେ କଣ ବିଜୟର ଏହି ଧାରା 2019ରେ ବି ଜାରି ରହିବ ? ଗୋଟିଏ ପଟେ ରାହୁଲ ଗାନ୍ଧି ଦୃଢ଼ତାର ସହ କହୁଛନ୍ତି ଏବେ ତ ହରାଇଛୁ, 2019ରେ ବି ହରାଇବୁ । ବିଜେପିର ସହଯୋଗୀ ବି କହୁଛନ୍ତି ଏହି ପରାଜୟର ପ୍ରଭାବ 2019ରେ ବି ଦେଖିବାକୁ ମିଳିପାରେ ।
ଗତ କିଛି ମାସର ରାଜନୈତିକ କାର୍ଯ୍ୟକ୍ରମ ଓ ତିନି ରାଜ୍ୟରେ ନିର୍ବାଚନ ଫଳାଫଳ ରାହୁଲ ଗାନ୍ଧିଙ୍କ ଭିତରେ ଭରିଦେଇଛି ଗଭୀର ଆତ୍ମବିଶ୍ବାସ । ଆତ୍ମବିଶ୍ବାସ ଆସିବା ତ ସ୍ବାଭାବିକ । 5 ବର୍ଷ ପୂର୍ବରୁ 2013ର ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପିକୁ ମିଳିଥିଲା ପ୍ରଚଣ୍ଡ ବହୁମତ ।
ଏହା ପରେ ଏହି ଫଳାଫଳ ଏହି ରାଜ୍ୟ ଗୁଡ଼ିକରେ 2014 ଲୋକସଭା ନିର୍ବାଚନରେ ବି ଦୋହରାଇଲା । ତିନିଟି ରାଜ୍ୟରେ ବିଜେପିକୁ ବମ୍ପର ସିଟ୍ ମିଳିଲା । ରାଜସ୍ଥାନରୁ ତ କଂଗ୍ରେସର ଯେମିତି କ୍ଲିନ୍ ସ୍ବିପ୍ ହୋଇଥିଲା । କିନ୍ତୁ ଏହି ତିନିଟି ରାଜ୍ୟରେ କବ୍ଜା କରିଛି କଂଗ୍ରେସ । ପ୍ରଶ୍ନ ଉଠୁଛି କଣ ଏହି ତିନି ରାଜ୍ୟରେ କଣ କଂଗ୍ରେସ ଏହି ସଫଳତା 2019ରେ ବି ଦୋହରାଇ ପାରିବ ।
ବିରୋଧୀ ତ ବିରୋଧୀ ବିଜେପିର କେନ୍ଦ୍ରରେ ସହଯୋଗୀ ଶିବସେନା ବି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛିତିଶଗଡ଼ରେ ଯେଉଁଭଳି ନିର୍ବାଚନୀ ଫଳ ଆସିଛି ତାର ପ୍ରଭାବ 2019 ଲୋକସଭା ନିର୍ବାଚନ ଉପରେ ବି ଦେଖୁଛି । ଆଉ ଏଥିପାଇଁ ବିଜେପିକୁ ସାବଧାନ ହେବାକୁ ଚେତାଇ ଦେଇଛି ।
ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ବି ମୋଦି ସରକାରଙ୍କୁ ଚେତାଇ ଦେଇଛନ୍ତି । ଆନ୍ନା କହିଛନ୍ତି ମୋଦି ନିଜ ପ୍ରତିଶ୍ରୁତି ମନେ ପକାନ୍ତୁ । ନଚେତ୍ 2019ରେ ପରାଜୟର ମୁହଁ ଦେଖିବାକୁ ହୋଇପାରେ ।
ରାହୁଲ ଗାନ୍ଧି ନିଜ ଦଳ କଂଗ୍ରେସ ଭିତରେ ନୂଆ ହିରୋ ହୋଇ ଉଭା ହୋଇଛନ୍ତି । ନିର୍ବାଚନୀ ରଣରେ ପ୍ରଥମ ଥର ପାଇଁ ସେ ବିଜେତା ନାୟକ ଭୂମିକାରେ ଦେଖାଯାଇଛନ୍ତି । ଉତ୍ତର ଭାରତରେ ତିନିଟି ପ୍ରମୁଖ ରାଜ୍ୟରେ କଂଗ୍ରେସର ବିଜୟ ଫଳରେ ଦଳୀୟ କର୍ମକର୍ତ୍ତା ଓ ନେତାଙ୍କ ଆତ୍ମବିଶ୍ବାସ ଏବେ ଶୀର୍ଷରେ ପହଞ୍ଚି ଯାଇଛି ।
ରାହୁଲ ତ ବହୁ ପୂର୍ବରୁ ହିଁ ଫ୍ରଣ୍ଟ ଫୁଟ୍ରେ ଖେଳୁଛନ୍ତି, କିନ୍ତୁ ଏଥର ବିଜୟ ତାଙ୍କ ଆତ୍ମବିଶ୍ବାସକୁ ଅଧିକ ଦୃଢ଼ କରିଛି । ସରକାର ଉପରେ ଆକ୍ରମଣ ଅଧିକ ଜୋରଦାର ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ନିଜର ଭାଷଣରେ କେବେ ବି 2019ର ଚର୍ଚ୍ଚା କରିନାହାନ୍ତି, ସେ ତ ସିଧା 2024ର କଥା କୁହନ୍ତି ।
ଅନ୍ୟ ଶବ୍ଦରେ କହିଲେ ମୋଦି ଏକଥା ଧରି ଚାଲିଛନ୍ତି ଯେ 2019ରେ ତାଙ୍କ ନେତୃତ୍ବରେ ବିଜେପି ଏକତରଫା ବିଜୟ ହାସଲ କରିବ । କିନ୍ତୁ ଏବେ ସମୀକରଣ ବଦଳି ଯାଇଛି । 2019 ର ଯୁଦ୍ଧରେ ରାହୁଲ ମୋଦିଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ହୋଇଯାଇଛନ୍ତି ।