‘କେବଳ ରାହୁଲ ଗାନ୍ଧି ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇପାରିବେ’: ଅଶୋକ ଗେହଲଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍। ସେ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କୁ ଦେଶର ସର୍ବ ପୁରାତନ ଦଳର ଅଧ୍ୟକ୍ଷ କରିବା ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସମସ୍ତ ଉଦ୍ୟମ କରାଯାଇଥିଲା। କାରଣ ସେ ହିଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିପାରିବେ। କିନ୍ତୁ ଜଣେ ଅଣ-ଗାନ୍ଧି ଦଳର ଅଧ୍ୟକ୍ଷ ଦାୟିତ୍ଵ ନେବା ଉଚିତ୍ ବୋଲି ରାହୁଲ ଗାନ୍ଧିଙ୍କ ଇଚ୍ଛା ଥିଲା।

ଗେହଲଟ କହିଛନ୍ତି ଯେ, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ରାହୁଲଙ୍କୁ ଦଳର ଅଧ୍ୟକ୍ଷ କରିବା ପାଇଁ ଉଦ୍ୟମ କରାଯାଇଥିଲା କାରଣ ସେ କେବଳ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାରକୁ ଚ୍ୟାଲେଞ୍ଜ କରିପାରିବେ। ହେଲେ ସବୁ ପରେ ଆଜି ଦଳକୁ ନୂଆ ଅଧ୍ୟକ୍ଷ ମିଳିଛନ୍ତି, ଆଜି ଦଳ ପାଇଁ ଏକ ନୂଆ ଆରମ୍ଭ। ଆମେ ମଲ୍ଲିକାର୍ଜୁନ ଜିଙ୍କୁ ଅଭିନନ୍ଦନ ଜଣାଉଛୁ ଓ ଦଳକୁ ମଜବୁତ କରିବା ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବୁ ବୋଲି ଗେହଲଟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଆଜିର ଏହି ସମାରୋହରେ ଖଡ଼ଗେଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଦ୍ୱାରା ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଚାଲିଥିବା ଭାରତ ଯୋଡ ଯାତ୍ରାରୁ ବିରତି ନେଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦୀର୍ଘ ୨୪ ବର୍ଷ ପରେ ଖଡ଼ଗେ ଜଣେ ଅଣଗାନ୍ଧୀ ଭାବେ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । ତେବେ ଦଳର ଶୀର୍ଷ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ସେ ନିଜର ପ୍ରତିଦ୍ୱନ୍ଦ୍ୱୀ ଶଶି ଥରୁରଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଥିଲେ।

Related Posts