ରାଜ୍ୟରେ ବିଗତ ୧୦ବର୍ଷ ମଧ୍ୟରେ ମାତ୍ର ୩ଟି ରାଗିଂ ଘଟଣା ପଞ୍ଜିକୃତ ହୋଇଛି: ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଭିନ୍ନ ସମୟରେ ରାଗିଂ ଅଭିଯୋଗ ହେଉଥିଲେ ସୁଦ୍ଧା ଗତ ୧୦ବର୍ଷ ମଧ୍ୟରେ ମାତ୍ର ୩ଟି ରାଗିଂ ଘଟଣା ପଞ୍ଜିକୃତ ହୋଇଛି । ଏଥିରେ ନିକଟରେ ଆତ୍ମହତ୍ୟା କରିଥିବା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସାମିଲ ରହିଥିବାବେଳେ ଏହି ମୃତ୍ୟୁ ରାଗିଂଜନିତ କି ନାହିଁ ତାହା ପୁଲିସ ତଦନ୍ତ କରୁଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି ।

ବିଧାନସଭାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟରେ ବିଗତ ୧୦ବର୍ଷ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ କଲେଜରେ ମାତ୍ର ୩ଟି ରାଗିଂ ଘଟଣା ପଞ୍ଜିକୃତ ହୋଇଛି । ପୁରୀସ୍ଥିତ ଏସସିଏସ୍ ସ୍ୱୟଂଶାସିତ କଲେଜ ଓ କଟକସ୍ଥିତ ଶୈଳବାଳା ସ୍ୱୟଂଶାସିତ କଲେଜରେ ଦୁଇଟି ରାଗିଂ କେସ୍ ପଞ୍ଜିକୃତ ହୋଇଥିଲା । ତେବେ ଏଥିରେ କେହି ଛାତ୍ରୀ ମୃତ୍ୟୁବରଣ କରିନାହାନ୍ତି । କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ଦୁଇ କେସ୍ ସମାଧାନ ହୋଇଥିଲା । ସେହିପରି ବିଜେବି କଲେଜରେ ୨୦୨୨ ଜୁଲାଇ ୨ତାରିଖରେ ଜଣେ ଯୁକ୍ତ ୩ ଶିକ୍ଷାବର୍ଷର ଛାତ୍ରୀଙ୍କ ହଷ୍ଟେଲରେ ମୃତ୍ୟୁ ହୋଇଛି । ତାହା ରାଗିଂ ଯୋଗୁ ଅବା ଅନ୍ୟ କାରଣରୁ ତା’ର ତଦନ୍ତ ପୁଲିସ କରୁଛି । ମାତ୍ର ସେଥିପାଇଁ ଗୋଟିଏ ରାଗିଂ ମାମଲା ପଞ୍ଜିକୃତ ହୋଇଛି । ରାଗିଂ ନିରାକରଣ ପାଇଁ ସରକାର ପ୍ରତି କଲେଜରେ ରାଗିଂ ବିରୁଦ୍ଧ କମିଟି ଗଠନ କରିଛନ୍ତି । ଏହାଦ୍ୱାରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତଥା ନାମଲେଖା ସମୟରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ରାଗିଂ ସମ୍ବନ୍ଧୀୟ ସତ୍ୟପାଠ ଦାଖଲ ନିମନ୍ତେ କୁହାଯାଉଛି ବୋଲି ରୋହିତ ପୂଜାରୀ ଗୃହରେ କହିଛନ୍ତି ।

Related Posts