ବିଧାନସଭାର ସବୁ କାମ ଓଡ଼ିଆରେ କରାଯାଉ: ପ୍ରଦୀପ୍ତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଓଡ଼ିଆରେ ହେଉ ବିଧାନସଭାର ସମସ୍ତ କାମ । ଗୃହର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆରେ ଲେଖାଯାଉ । ନବୀନ ମଧ୍ୟ ଗୃହରେ ଓଡ଼ିଆ ଭାଷାରେ ବିବୃତି ରଖନ୍ତୁ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏଭଳି ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ବିଧାନସଭାର ସମସ୍ତ କାର୍ଯ୍ୟ ଓ ସରକାରୀ କାର୍ଯ୍ୟାବଳୀକୁ ଓଡ଼ିଆରେ କରିବାକୁ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।

ଓଡ଼ିଆ ଭାଷା ଓଡ଼ିଶାର ସ୍ୱାଭିମାନ ହୋଇଥିବାରୁ ଏହି ଭାଷାରେ ସମସ୍ତେ ନିଜ ମତ ପରିପ୍ରକାଶ କରନ୍ତି । ମାତ୍ର ପରିତାପର ବିଷୟ ଯେ ବିଧାନସଭା କିମ୍ବା ଲୋକସେବା ଭବନରେ ଅନେକ କାମ ଓଡ଼ିଆରେ ହେଉ ନାହିଁ । ଯାହା ଦ୍ବାରା ସାଧାରଣ ଲୋକଟିଏ ନିଜ ସୁବିଧା ଅସୁବିଧା ଜାଣିପାରୁନି କି କହି ପାରୁନି ବୋଲି କହିଛନ୍ତି ପ୍ରଦୀପ୍ତ ନାୟକ । ତେବେ ବିଧାନସଭାରେ ବିରୋଧୀଙ୍କ ଦାବି ପରେ ବିଧେୟକ, ବିବୃତି, ବିଜ୍ଞପ୍ତି ଆଦି ଓଡ଼ିଆରେ ପ୍ରକାଶ କରାଯାଉଥିବା ବେଳେ ଅନେକ ରିପୋର୍ଟ, ବିଭାଗୀୟ ଖର୍ଚ୍ଚଦାବି, କମିଶନ ରିପୋର୍ଟ ଏବଂ ଅଧ୍ୟାଦେଶ ଆଦି କାହିଁକି ଓଡିଆରେ ପ୍ରକାଶ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ଇଂରାଜୀରେ ବିବୃତି ରଖୁଥିବାରୁ ଅନେକ ବିଧାୟକମାନେ ମଧ୍ୟ ନିଜ ମତ ଇଂରାଜୀରେ ରଖୁଛନ୍ତି । ଯାହାକୁ ସାଧାରଣ ଲୋକଟିଏ ବୁଝିବା କଷ୍ଟ ହେୁଛି ।  ତେଣୁ ସମସ୍ତେ ଓଡ଼ିଆରେ ବିବୃତି ରଖିବା ସହ ସବୁ କାମ ଓଡ଼ିଆରେ ହେବା ଆବଶ୍ୟକ ବୋଲି ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

Related Posts