
ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ରାଜ୍ଯ ମାନକୁ ଟ୍ୟାକ୍ସ କାଟ କରିବା ନେଇ କହିଛନ୍ତି । ଫଳରେ ଲୋକଙ୍କ ଉପରେ ପଡୁଥିବା ଭାର କିଛି ମାତ୍ରାରେ କମିପାରିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ସେପଟେ ବିରୋଧ ଦଳ ଶାସିତ ରାଜ୍ୟମାନଙ୍କୁ ଦାୟୀ କରିବା ପରେ ବିଭିନ୍ନ ରାଜ୍ୟ ସରକାର ଏନେଇ ପ୍ରତିକ୍ରିୟା ଦେଇଛନ୍ତି।
ଆଜି କୋଭିଡ୍ ସ୍ଥିତି ସମୀକ୍ଷା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ତୈଳ ଦର ବୃଦ୍ଧି ନେଇ ରାଜ୍ୟମାନଙ୍କୁ ଦାୟୀ କରିଥିଲେ ମୋଦୀ। କେନ୍ଦ୍ର ସରକାର ଟ୍ୟାକ୍ସ କାଟ କଲେ ହେଲେ ରାଜ୍ୟଗୁଡ଼ିକ କଲେ ନାହିଁ। ଏଥିପାଇଁ ସେହିସବୁ ରାଜ୍ୟରେ ତେଲ ଦର ଅଧିକା ବୋଲି ମୋଦୀ କହିଥିଲେ। ଏବେ ବିରୋଧୀ ରାଜ୍ୟଗୁଡ଼ିକ ଏହାର ଜବାବ ରଖିଛନ୍ତି।
ତେଲେଙ୍ଗାନା
ମୋଦୀଙ୍କ ଅଭିଯୋଗରେ ଉତ୍ତର ରଖି ତେଲେଙ୍ଗାନା ସରକାର ତୈଳ ଦର ବୃଦ୍ଧି ପାଇଁ ସିଧା କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ତେଲେଙ୍ଗାନା ମନ୍ତ୍ରୀ ତଥା ଟିଆର୍ଏସ୍ ଦଳର କାର୍ଯ୍ୟକାରୀ ସଭାପତି କେଟି ରାମାରାଓ ଟ୍ୱିଟ୍ କରି ମୋଦୀଙ୍କୁ ସମାଲୋଚନା କରିଛନ୍ତି।
ସେ ଲିଖିଛନ୍ତି ” ଭାଟ କମ୍ କରିନାହୁଁ ବୋଲି ରାଜ୍ୟର ନାଁ ନେଇ କହିଲେ, ହେଲେ ଆମେ ଭାଟ୍ ବୃଦ୍ଧି କରିନାହୁଁ। ଏହା କଣ ଆପଣ(ମୋଦୀ) କହୁଥିବା ସହଯୋଗୀ ସଂଘୀୟ ବ୍ୟବସ୍ଥା ? ୨୦୧୪ ଠାରୁ ତେଲେଙ୍ଗାନା ଭାଟ ବଢ଼ାଇ ନାହିଁ। ଆପଣଙ୍କ ସରକାର ସେସ୍ ଲଗାଇଥିବା କାରଣରୁ ଆଣେ ଆମର ହକ୍ ୪୧ ପ୍ରତିଶତ ଶେୟାର ପାଇପାରୁ ନାହୁଁ। ଆର୍ଥିକ ବର୍ଷ ୨୦୨୩ରେ ଆପଣ(କେନ୍ଦ୍ର) ୧୧.୪ ପ୍ରତିଶତ ଲୁଟିଛନ୍ତି, ହେଲେ ଆମକୁ ମିଳିଛି ମାତ୍ର ୨୯.୬ ପ୍ରତିଶତ। ଦୟାକୀର ସେସ୍ ହଟାଇ ଦିଅନ୍ତୁ, ତେବେ ଯାଇ ଆମେ ସାରା ଭାରତରେ ପେଟ୍ରୋଲ ୭୦ ଟଙ୍କା ଓ ଡିଜେଲ୍ ୬୦ ଟଙ୍କାରେ ଦେଇପାରିବୁ।” ଗୋଟେ ଦେଶ ଗୋଟିଏ ପ୍ରାଇଶ ହେବ କି ବୋଲି କହି ତେଲେଙ୍ଗାନା ସରକାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ଏହି ଖବରଟିକୁ ବି ପଢ଼ନ୍ତୁ- କାହିଁକି ମହଙ୍ଗା ପେଟ୍ରୋଲ ଓ ଡିଜେଲ, ଜନତାଙ୍କୁ ଧୋକା ଦେଉ ନାହାନ୍ତିତ ରାଜ୍ୟ ସରକାର?
ପଶ୍ଚିମବଙ୍ଗ
ମୋଦୀଙ୍କ ଦୋଷାରୋପକୁ ରାଜନୈତିକ ଏଜେଣ୍ଡା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତା ସହିତ ରାଜ୍ୟ ଉପରେ ଆଉ ବୋଝ ନ ଲଦିବାକୁ ସେ ଅପିଲ୍ କରିଛନ୍ତି। ମୋଦୀ ଏକପାଖି ମନ୍ତବ୍ୟ ଦେଇ ଲୋକଙ୍କୁ ଭ୍ରମିତ କରିବାକୁ ଚାହୁଁଛନ୍ତି। ପଶ୍ଚିମବଙ୍ଗ ସରକାର ତି ବର୍ଷ ଧରି ତେଲ ଉପରେ ୧ ଟଙ୍କା ସବ୍ସିଡି ଦେଉଥିଲା। ଫଳରେ ରାଜ୍ୟକୁ ୧୫୦୦ କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ିଛି ହେଲେ ମୋଦୀ ସେ ବିଷୟରେ କିଛି କହିଲେ ନାହିଁ। ଆମେ(କେନ୍ଦ୍ର ଓ ପଶ୍ଚିମବଙ୍ଗ) ତୈଳ ଦରରେ ୫୦-୫୦ ଭାଗିଦାରୀ। ହେଲେ କେନ୍ଦ୍ର ଏହା ମାନିବାକୁ ନାରାଜ।
କେନ୍ଦ୍ର ୭୪ ପ୍ରତିଶତ ନେଇଯାଇ ଲକ୍ଷ ଲକ୍ଷ କୋଟି ରାଜସ୍ୱ ପାଉଛନ୍ତି, ହେଲେ ରାଜ୍ୟକୁ ଦେଉ ନାହାଁନ୍ତି। କେନ୍ଦ୍ର ବେଙ୍ଗଲର ୯୭୦୦୦ କୋଟି ଟଙ୍କା ବାକି ରଖିଛନ୍ତି। ସେହି ଟଙ୍କା ମୋତେ ଦେଇ ଦିଅନ୍ତୁ ଆମେ ଲୋକଙ୍କୁ ସବ୍ସିଡି ଦେବୁ। ମୋଦୀଙ୍କ କଥା ସତ ନୁହେଁ, ଆମେ ସାଧାରଣ ଲୋକଙ୍କୁ ଲାଭ ଦେବାକୁ କାମ କରୁଥିବା ବେଳେ କେନ୍ଦ୍ର ଆମ ଉପରେ ଚାପ ପକାଉଛି। ସେହିପରି ଟିଏମ୍ସି ପ୍ରବକ୍ତା କୁନାଲ ଘୋଷ କହିଛନ୍ତି ଯେ କେନ୍ଦ୍ର ସରକାର ନିଜର ବିଫଳତାକୁ ଲୁଚାଇବାକୁ ମିଛ କହୁଛନ୍ତି ଓ ରାଜ୍ୟମାନଙ୍କୁ ଭାଟ କମ୍ କରିବାକୁ କହୁଛନ୍ତି।
ତାମିଲନାଡୁ-
ତାମିଲନାଡୁ ଶାସକ ଦଳ ଦ୍ରାଭିଡ ମୁନେତ୍ରା କଝାଗମର ପ୍ରବକ୍ତା ଏ ସରଭାନନ କହିଛନ୍ତି ଯେ ତୈଳ ଦର ଆକାଶ ଛୁଆଁ ହେବା ପଛରେ କେନ୍ଦ୍ର ସରକାରଙ୍କର ସେସ୍ ଦାୟୀ। ସେସ୍ ମାଧ୍ୟମରେ କେନ୍ଦ୍ର ପାଉଥିଲା ରାଜସ୍ୱ ରାଜ୍ୟକୁ ଦିଆଯାଉ ନାହିଁ। ଦୟାକରୀ ସେସ୍ ନିଅନ୍ତୁ ନାହିଁ କି ଭାଟ ଲଗାଇବାକୁ ରାଜ୍ୟସରକାରମାନଙ୍କୁ ବାଧ୍ୟ କରନ୍ତୁ ନାହିଁ। ତେବେ ଡିଏମ୍କେ ତୈଳ ଦର ବୃଦ୍ଧି କରି ନାହିଁ ବରଂ ୩ ଟଙ୍କା ହ୍ରାସ କରିଛି। ଏଆଇଏଡିଏମ୍କେ ଭାଟ ମୂଲ୍ୟ ସ୍ଥିର କରିଛି। ପ୍ରଧାନମନ୍ତ୍ରୀ ଗ୍ୟାନ ଦେବା ପରିବର୍ତ୍ତେ ରାଜ୍ୟକୁ ଭାଟ ଦେବା ଉଚିତ୍ ବୋଲି ସରଭାନନ କହିଛନ୍ତି। ଗତ ୮ ବର୍ଷରେ କେନ୍ଦ୍ର ସରକାର ୨୬ ଲକ୍ଷ କୋଟି ଆୟ କରିଛନ୍ତି, ଏତେ ଟଙ୍କା ଗଲା କୁଆଡ଼େ ? ପ୍ରଧାନମନ୍ତ୍ରୀ ତାଙ୍କ ବିରୋଧରେ ହେଉଥିବା ଆଲୋଚନା ଉପରୁ ନଜର ହଟାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସରଭାନନ କହିଛନ୍ତି।
ମହାରାଷ୍ଟ୍ର
ତୈଳ ଦର ବୃଦ୍ଧି ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟାମାନଙ୍କୁ ଦାୟୀ କରି ଟ୍ୟାକ୍ସ କମାଇବାକୁ କହିଥିଲେ। ଯାହାର ଜବାବ ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ। ତୈଳ ଦର ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକୁ ଦାୟୀ କରାଯାଇପାରିବ ନାହିଁ ବୋଲି ଉଦ୍ଧବ କହିଛନ୍ତି। ସେ କହିଛନ୍ତି “ଆଜି ମୁମ୍ବାଇରେ ବିକ୍ରି ହେଉଥିବା ଡିଜେଲ୍ ଦରରେ କେନ୍ଦ୍ରର ଟ୍ୟାକ୍ସ ୨୪.୩୮ପଇସା ଓ ରାଜ୍ୟର ଟ୍ୟାକ୍ସ ୨୨.୩୭ ପଇସା। ସେହିପରି ପେଟ୍ରୋଲ୍ ଲିଟର ପ୍ରତି ୩୧.୫୮ ପଇସା କେନ୍ଦ୍ରର ଓ ରାଜ୍ୟର ୩୨.୫୫ ପଇସା। ତେଣୁ ପେଟ୍ରୋଲ ଓ ଡିଜେଲ୍ର ଦର ବୃଦ୍ଧି ପାଇଁ ରାଜ୍ୟକୁ ଦାୟୀ କରିବା ତଥ୍ୟଭିତ୍ତିକ ନୁହେଁ।